ସବୁ ସରକାରୀ ସ୍କୁଲ ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ଭେ

ଭୁବନେଶ୍ଵର : ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୧ ହଜାର ୯୦୦ ସ୍କୁଲ ସାମିଲ୍ ହୋଇଥିବା ବେଳେ ଚଳିତମାସ ୧୫ ତାରିଖ ଯାଏ ଏହି ସର୍ଭେ ଜାରି ରହିବ।
ଖବର ଅନୁଯାୟୀ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୨.୦୭ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାନସିକ ସ୍ଥିତି ଜାଣିବାକୁ ପ୍ରୟାସ କରାଯାଉଛି। ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାବଧାନ ଅନୁସାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ମନୋଦର୍ପଣ’ କାର୍ଯ୍ୟକ୍ରମ ଆଧାରରେ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେ ଚାଲିଥିବା ଜଣାପଡ଼ିଛି। ରାଜ୍ୟ ସରକାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେରେ ସବୁ ସରକାରୀ ସ୍କୁଲ ଯେଭଳି ସାମିଲ ହେବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ଗତମାସରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଏହି ସର୍ଭେରେ ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନଙ୍କ ସାମିଲ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ସେଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁଗଲ ଲିଙ୍କ୍ ପ୍ରଦାନ କରାଯାଇ ଅନଲାଇନ୍ ମାଧ୍ୟମରେ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ କୁହାଯାଇଛି। ଏହି ଫର୍ମଗୁଡ଼ିକ ନିଶ୍ଚିତ ଭାବେ ଚଳିତମାସ ୧୫ତାରିଖ ସୁଦ୍ଧା ପୂରଣ ହେବା ଜରୁରୀ।
ସୂଚନାଯୋଗ୍ୟ ରାଜ୍ୟର ୬୧୯୦୦ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ସର୍ଭେ କରାଯାଉଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକରେ ପ୍ରାୟ ୫୩.୬୮ଲକ୍ଷ ଛାତ୍ରଛାତ୍ରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୫.୭୫ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ପ୍ରାୟ ୨.୦୭ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଜଣାପଡ଼ିଛି।