ଡିସେମ୍ବର ପହିଲାରୁ ରାଜ୍ୟରେ ବସ୍‌ ଧର୍ମଘଟ

ଭାବନୀପାଟଣା : ଆସନ୍ତା ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ। ଏହା ପୂର୍ବରୁ ଅର୍ଥାତ ନଭେମ୍ବର ୨୨ରୁ ବସ୍‌ ମାଲିକମାନେ ବିଧାନସଭା ସମ୍ମୁଖରେ ଧାରଣା ବସିବେ। ଭବାନୀପାଟଣାଠାରେ ବସିଥିବା ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ବୁଧବାର କଲାହାଣ୍ଡିର ଭବାନୀପାଟଣାରେ ଅଲ୍‌ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏଥିରେ ୩୦ଟି ଜିଲ୍ଲାର ବସ୍‌ ମାଲିକମାନେ ଯୋଗଦେଇଥିଲେ। ରାଜ୍ୟ ସରକାର ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛି। ସଂଘର ଦାବି ରାଜ୍ୟ ସରକାର ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଲକ୍ଷ୍ମ ବସ୍‌ ଚଲାନ୍ତୁ। ହେଲେ ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ନଚଳାଇବାକୁ ସଂଘ ଦାବି କରିଛି।

ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଆସନ୍ତା ନଭେମ୍ବର ୨୨ ତାରିଖରୁ ୩୦ ଡିସେମ୍ବର ଯାଏଁ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାର ନ ଶୁଣିଲେ ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ ଧର୍ମଘଟ ହେବ। ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହିତ ବହୁବାର ଆଲୋଚନା କରିଛୁ। ମାତ୍ର ସବୁଥିରେ ବିଫଳ ହୋଇଛି। ଏବେ ମଧ୍ୟ ସମୟ ଅଛି। ରାଜ୍ୟ ସରକାର ଚାହିଁଲେ ବସ୍‌ ଧର୍ମଘଟକୁ ଏଡାଇ ଦିଆଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button