ଅନୁକମ୍ପା ରାଶି ହଡପ ଉଦ୍ୟମ କରିଥିବା ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଲେ

ଭୁବନେଶ୍ଵର : ଅନୁକମ୍ପାମୂଳକ ସହାୟତା ହଡପ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଅଡୁଆ ବଢିଛି। ତାଙ୍କ ନାଁ’ରେ ସ୍ୱାମୀ କରିଛନ୍ତି ଥାନାରେ ଏତଲା। ଟଙ୍କା ଲୋଭରେ ପତ୍ନୀ ଏଭଳି କାଣ୍ଡ କରିଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କହିଛନ୍ତି।

ଖବର ଅନୁଯାୟୀ ଦୁଇଦିନ ତଳେ ଚର୍ଚ୍ଚାରେ ଥିଲା ଜଣେ ମହିଳାଙ୍କ କରନାମା। ଏହି ମହିଳା ଜଣକ ପୋଲିସ ପାଖରେ ପହଞ୍ଚି ଅଜଣା ଶବକୁ ନିଜ ସ୍ୱାମୀ ବୋଲି କହି ସରକାରଙ୍କ ଅନୁକମ୍ପା ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ। ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାରୁ ସେହି ମହିଳା ଚମ୍ପଟ ମାରିଥିଲେ।

ପ୍ରକୃତ କଥା ହେଲା ମହିଳାଙ୍କ ସ୍ୱାମୀ ବିଜୟ ଦତ୍ତ ବଞ୍ଚିଛନ୍ତି। ଏବେ ପତ୍ନୀ ଗୀତାଞ୍ଜଳିଙ୍କ ବିରୋଧରେ ସେ ମାଣିଆବନ୍ଧ ଥାନାରେ ଏତଲା ଦେଇଛନ୍ତି। ଆଉ କହିଛନ୍ତି ତାଙ୍କ ପତ୍ନୀ ଟ୍ରେନ ଦୁର୍ଘଟଣାରେ ସହାୟତା ରାଶି ହଡ଼ପ ପାଇଁ ଜୀବିତ ସ୍ୱାମୀକୁ ମୃତ ଦର୍ଶାଇଥିଲେ। ଗତ ୧୩ ବର୍ଷ ହେଲା ସ୍ତ୍ରୀ ତାଙ୍କଠାରୁ ଅଲଗା ରହିବା ସହ ବିଭିନ୍ନ ସମୟରେ ମିଛ ମାମଲା କରି ଅସୁବିଧାରେ ପକାଉଥିବା ବିଜୟ ଏତଲାରେ ଉଲ୍ଲେଖ କରିଛନ୍ତି।

ଟ୍ରେନ ଦୁର୍ଘଟଣା ପରେ ସରକାର ସହାୟତା ରାଶି ଘୋଷଣା କରିଥିଲେ। ଏହାକୁ ପାଇବା ପାଇଁ ଗୀତାଞ୍ଜଳି ବାଲେଶ୍ୱର ଯାଇ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାସନକୁ ଦର୍ଶାଇ ସହାୟତା ରାଶି ଦାବି କରିଥିଲେ। ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପ୍ରଶାସନର ସଂଦେହ ହେବାରୁ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜୟ ଦତ୍ତ ନିଜେ ଏତଲା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button