ଚାକିରି ଦେବାକୁ କହି ଠକୁଥିବା ୩ ଯୁବକଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର : ‘ମୋ ସ୍କୁଲ’ ନାଁ’ରେ ଫେକ୍ ୱେବ୍ସାଇଟ୍। ଏହାକୁ ମାଧ୍ୟମକରି ବେକାରୀଙ୍କୁ ଚାକିରି ଦେବାକୁ କହି ଠକୁଥିବା ୩ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଅମର ସାମଲ, ମଦନ ନାଗ ଓ ରାଇଗୁଲୁ ପାତ୍ର।
ଖବର ଅନୁଯାୟୀ କମିସନରେଟ୍ ପୋଲିସର ଜୋନ୍-୫ ଏସ୍ପି ଗୌତମ କିଶନ ଗଣମାଧ୍ୟମକୁ କହିଛନ୍ତି ଅଭିଯୁକ୍ତମାନେ ଅନେକ ଆଶାୟୀଙ୍କୁ ଚାକିରି ଦେବା ନାଁରେ ଠକିଥିବା ସୂଚନା ରହିଛି। ସେମାନଙ୍କୁ ଭରତପୁରରୁ ଗିରଫ କରାଯାଇଥିବା ବେଳେ ନଗଦ ଦୁଇଲକ୍ଷ ଟଙ୍କା, ଦୁଇଟି ଲାପ୍ଟପ୍, ଡ଼େକ୍ସଟପ୍ ଓ ୧୩ଟି ମୋବାଇଲ ଜବତ କରାଯାଇଛି। ଏହାଛଡା ବ୍ୟାଙ୍କ ଚେକବୁକ, ଏଟିଏମ୍ କାର୍ଡ, ଫେକ୍ ସିଲ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ ହୋଇଛି।
ସେ କହିଛନ୍ତି ଗତ ଜୁଲାଇ ୧୨ ତାରିଖରେ ‘ମୋ ସ୍କୁଲ’ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ନକଲି ୱେବସାଇଟ ପ୍ରସ୍ତୁତ କରି ସାଇବର ଲୁଟେରାମାନେ ଆଶାୟୀଙ୍କୁ ଠକୁଥିଲେ। ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ ଏନେଇ ପୋଲିସ୍ କମିସନରଙ୍କୁ ଚିଠି ଲେଖି ଅବଗତ କରିଥିଲେ। ଏହି ନକଲି ୱେବସାଇଟ୍ରେ ‘ମୋ ସ୍କୁଲ’ ଅଫିସ୍ରେ ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ବିଜ୍ଞାପନ ଦେଇ ଠକମାନେ ଚାକିରି ଆଶାୟୀଙ୍କଠୁ ମୋଟା ଅଙ୍କର ଅର୍ଥ ଦାବି କରୁଥିଲେ। ଅଭିଯୋଗ କ୍ରମେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅମର ସାମଲ ସହ ମଦନ ନାଗ ଓ ରାଇଗୁଲୁ ପାତ୍ରଙ୍କୁ ଗିରଫ କରିଛି।