ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟା

ଜଗତସିଂହପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ଭିତରଣା କୋକିଠେଙ୍ଗରେ ଅଭାବନୀୟ ଘଟଣା ଘଟିଛି। ସୁବାସ ବିଶ୍ୱାଳ ନାମକ ଯୁବକର କୁରାଢୀ ଆକ୍ରମଣରେ ବିନୋଦ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ବିଷ୍ଣୁ ପଲେଇ ଗୁରୁତର ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ବୁଧବାର ସକାଳେ ସୁବାସ ବିଶ୍ଵାଳ ଘର ସମ୍ମୁଖରେ ଗଛ ହାଣୁଥିଲେ। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ବିଷ୍ଣୁ ପଲେଇ ପିଠିକୁ ସୁବାସ କୁରାଢ଼ିରେ ହାଣିଦେଇଥିଲେ। ସୁବାସ ଚିତ୍କାର କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ପରେ ବିନୋଦ ଦାସ ସେହିବାଟେ ଯିବାରୁ ସୁବାସ ତାଙ୍କ ମୁଣ୍ଡକୁ ହାଣିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଏହାଛଡା ଜଣେ ମହିଳାଙ୍କୁ ସୁବାସ ଆକ୍ରମଣ କରିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗାଁରେ ଲୁଚିଥିବା ସୁବାସଙ୍କୁ କାବୁ କରିଥିବା ସୂଚନା ମିଳିଛି।



























