ପ୍ଲାଟଫର୍ମରେ ୨୦ ଟଙ୍କାରେ ମିଳିବ ଖାଦ୍ୟ
ନୂଆଦିଲ୍ଲୀ : ସାଧାରଣ ବଗିରେ ଯାତ୍ରା କରୁଥିବା ରେଳଯାତ୍ରୀଙ୍କୁ ମିଳିବ ସୁଲଭ ମୂଲ୍ୟରେ ଖାଦ୍ୟ ଓ ପାନୀୟ। ସେଥିପାଇଁ ଷ୍ଟେସନର ପ୍ଲାଟଫର୍ମରେ ସାଧାରଣ ବଗି ବା ଜେନେରାଲ କୋଚ୍ ସମ୍ମୁଖରେ ଇକୋନୋମି ମିଲ୍ସ ଷ୍ଟଲ୍ ନିର୍ମାଣ କରାଯିବ।
ଖବର ଅନୁଯାୟୀ ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ ସୁଲଭ ମୂଲ୍ୟରେ ଖାଦ୍ୟ ପାଇବାକୁ ଆଉ ଅସୁବିଧା ହେବନି। ରେଳ ଷ୍ଟେସନରେ ଉପଲବ୍ଧ ହେବ ଖାଦ୍ୟ ଓ ପାନୀୟ। ସେଥିପାଇଁ ଗତ ଜୁନ୍ ୨୭ ତାରିଖରେ ରେଳବାଇ ବୋର୍ଡ ପକ୍ଷରୁ ଜେନେରାଲ କୋଚ୍ ନିକଟ ପ୍ଲାଟଫର୍ମରେ ସୁଲଭ ମୂଲ୍ୟରେ ଖାଦ୍ୟ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାଉଣ୍ଟର ଗୁଡ଼ିକର ସ୍ଥାନ ରେଳବାଇର ଜୋନାଲ କାର୍ଯ୍ୟାଳୟ ନିର୍ଦ୍ଧାରଣ କରିବେ।
ରେଳବାଇ ନିର୍ଦ୍ଧାରିତ କ୍ୟାଟରିଂ ମୂଲ୍ୟ ଅନୁଯାୟୀ ଯାତ୍ରୀଙ୍କୁ ମାତ୍ର ୨୦ ଟଙ୍କାରେ ପୁରୀ, ତରକାରି ଓ ଆଚାର ପ୍ୟାକେଟ୍ ମିଳିବ। ଏଥିରେ ୭ଟି ପୁରି, ୧୫୦ ଗ୍ରାମ ତରକାରି ଓ ଆଚାର ରହିବ। ସେହିପରି ଆଉ ଏକ ପ୍ରକାରର ମିଲର ମୂଲ୍ୟ ୫୦ ଟଙ୍କା ରହିବ। ସେଥିରେ ରାଜମା ଭାତ, ଖେଚୁଡ଼ି, ଛୋଲେ ଭତୁରେ, ପାଓଭାଜି କିମ୍ବା ମସାଲା ଦୋସା ରହିବ।