ଆପତ୍ତିଜନକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ପାଇଁ ସଂଘର୍ଷ

ଅକୋଲା : ମହାରାଷ୍ଟ୍ରର ଅକୋଲାର ଓଲ୍ଡ୍ ସିଟି ଥାନା ଅଞ୍ଚଳରେ ଶନିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଆପତ୍ତିଜନକ ‘ଇନ୍ଷ୍ଟାଗ୍ରାମ୍’ ପୋଷ୍ଟକୁ ନେଇ ଘଟିଥିବା ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ୮ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ପରିସ୍ଥିତିର ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି।
ଖବର ଅନୁଯାୟୀ ଧାର୍ମିକ ନେତାଙ୍କ ସମ୍ପର୍କରେ ଆପତ୍ତିଜନକ ‘ଇନ୍ଷ୍ଟାଗ୍ରାମ୍’ ପୋଷ୍ଟ୍ ପାଇଁ ଶନିବାର ବିଳମ୍ବିତ ରାତିରେ ଅକୋଲା ଥାନା ନିକଟରେ ବହୁସଂଖ୍ୟକ ଲୋକ ରୁଣ୍ଡ ହୋଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ସଂଘର୍ଷ। ଦୁଇ ସମ୍ପ୍ରଦାୟ ପରସ୍ପର ଉପରକୁ ଟେକାପଥର ଫିଙ୍ଗିବା ସହିତ ଯାନବାହନରେ ନିଆଁ ଲଗାଇ ଦେଲେ। ଏହି ସଂଘର୍ଷରେ ୮ଜଣ ଆହତ ହେବାରୁ ହିଂସା ନିୟନ୍ତ୍ରଣ ପାଇଁ ପୋଲିସ ଥାନା ଅନ୍ତର୍ଗତ ୩ଟି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।