ଇଲେକ୍ଟ୍ରି ଗାଡ଼ି ରିହାତି ପରିମାଣ ବଢିଲା

ଭୁବନେଶ୍ଵର : ରାଜ୍ୟ ସରକାର ଇଲେକ୍ଟ୍ରି ଗାଡ଼ି କିଣା ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି। ଏଣିକି ଦୁଇଚକିଆ ଇଲେକ୍ଟି ଗାଡ଼ି କିଣିଲେ ସର୍ବାଧିକ ୨୦ହଜାର, ତିନିଚକିଆ ୩୦ହଜାର ଓ ଚାରିଚକିଆ ଯାନ ପାଇଁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ସରକାର ଦେବେ। ଇଲେକ୍ଟ୍ରି ଯାନକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି।
ଖବର ଅନୁଯାୟୀ ଓଡ଼ିଶା ବିଦ୍ୟୁତ ଯାନ ନୀତି-୨୦୨୧ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିଲା। ବୁଧବାର ସଂଶୋଧିତ ନୀତି ଅନୁସାରେ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟରେ ନିୟମ ସଂଶୋଧନ କରିଛନ୍ତି। ୨୦୨୨ ଶେଷସୁଦ୍ଧା ରାଜ୍ୟରେ ମାତ୍ର ୪.୪୮ ପ୍ରତିଶତ ବିଦ୍ୟୁତ ଚାଳିତ ଯାନ ପଞ୍ଜିକରଣ ହୋଇଛି। ଏହି ଗାଡି କ୍ରୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରିହାତି ପରିମାଣକୁ ବୃଦ୍ଧି କରାଯାଇଛି।
ଏଣିକି ବିଦ୍ୟୁତଚାଳିତ ଦୁଇଚକିଆ ଯାନ ଉପରେ କିଲୋୱାଟ ପିଛା ୫ହଜାର ଟଙ୍କା ରିହାତି ଓ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ। ସେହିପରି ତିନିଚକିଆ ଗାଡ଼ିରେ ୩୦ହଜାର ଟଙ୍କା ଗାଡ଼ି ପିଛା ରିହାତି ମିଳିବ। ଚାରିଚକିଆ ଯାନରେ କିଲୋୱାଟ ପିଛା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ପ୍ରଚଳିତ ନୀତିରେ ରାଜ୍ୟ ସରକାର ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବିଦ୍ୟୁତଚାଳିତ ଯାନ ଉପରେ ୧୦୦ ପ୍ରତିଶତ ମୋଟରଯାନ ଟିକସ ଓ ରେଜିଷ୍ଟ୍ରେସନ ଫି’ ଛାଡ଼ କରିଛନ୍ତି।