ଗାଁ’କୁ ଆମ୍ବୁଲାନ୍ସ ଆସିପାରିଲାନି, ବୁହାହେଲେ ପ୍ରସୂତୀ
![ଗାଁ'କୁ ଆମ୍ବୁଲାନ୍ସ ଆସିପାରିଲାନି, ବୁହାହେଲେ ପ୍ରସୂତୀ 1 janatakhabar.in](https://janatakhabar.in/wp-content/uploads/2023/04/rajagada-002.jpg)
ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ। ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଗାଁ’କୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ଗର୍ଭବତୀ ମହିଳାଙ୍କୁ ଭରାନଦୀରେ ପରିବାର ଲୋକେ ବୋହି ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି। କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମର ସୁରନ୍ଦର ମାଝୀଙ୍କ ସ୍ତ୍ରୀ ଆରତୀ ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ନଦୀ ଡେଇଁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରିନଥିଲା । ଫଳରେ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଭରା ନଦୀରେ ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ । ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।