ଟମଟୋର ମୂଲ୍ୟ ୮୦ ଟଙ୍କା ଧାର୍ଯ୍ୟକଲେ ସରକାର

ନୂଆଦିଲ୍ଲୀ : ଦେଶରେ କିଛିଦିନ ହେଲା ପନିପରିବାର ମୂଲ୍ୟ ଆକାଶଛୁଆଁ ହୋଇଛି। ଖାଉଟିଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଟମଟୋର ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଟମଟୋର ସର୍ବାଧିକ ବିକ୍ରୟ ମୂଲ୍ୟ କିଲୋପ୍ରତି ୮୦ ଟଙ୍କା ଧାର୍ଯ୍ୟ କରିଛନ୍ତି।
ଖବର ଅନୁଯାୟୀ ନ୍ୟାସନାଲ କୋ ଅପରେଟିଭ କଞ୍ଜ୍ୟୁମର ଫେଡରେସନ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ଏଗ୍ରିକଲଚର କୋ ଅପରେଟିଭ ମାର୍କେଟିଂ ଫେଡରେସନ ଅଫ୍ ଇଣ୍ଡିଆ ମାଧ୍ୟମରେ ଟମଟୋ ବିକ୍ରିହେବ। ଆଜିଠାରୁ କିଲୋପ୍ରତି ୮୦ ଟଙ୍କା ଦରରେ ଦିଲ୍ଲୀ, ନୋଇଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜଫରପୁର ଓ ଆରାରେ ଟମଟୋ ବିକ୍ରି କରିବା ଆରମ୍ଭ କରାଯାଇଛି।
ସୋମବାର ଠାରୁ ଦେଶର ଅନ୍ୟ ସହର ଗୁଡିକରେ ଖାଉଟିଙ୍କୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ଯୋଗାଇ ଦିଆଯିବ। ସରକାରୀ ହିସାବ ମୁତାବକ ଦେଶରେ ଏବେ ବିଲାତିର କିଲୋପ୍ରତି ହାରାହାରି ମୂଲ୍ୟ ୧୧୭ ଟଙ୍କା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏନସିଆରରେ ଶୁକ୍ରବାର ୯୦ ଟଙ୍କାରେ ଟମାଟୋ ମୋବାଇଲ ଭ୍ୟାନ ମାଧ୍ୟମରେ ୧୮ ହଜାର କିଲୋ ଟମାଟୋ ବିକ୍ରି ହୋଇଛି। ହେଲେ ଦିଲ୍ଲୀର ସାଧାରଣ ବଜାରରେ ୧୭୮ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୧୫୦ ଟଙ୍କା ଓ ଚେନ୍ନାଇରେ ଟମାଟୋ କିଲୋ୧୩୨ ଟଙ୍କାରେ ବିକ୍ରି ହେଉଛି।