ଦୁଷ୍କର୍ମ ଅଭିଯୋଗରେ ଏଏସ୍‌ଆଇ ଓ ହୋମଗାର୍ଡ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସ୍‌ଆଇ ଆନନ୍ଦ ମାଝୀ ଓ ହୋମ୍‌ଗାର୍ଡ ଦେବାନନ୍ଦ ପାତ୍ର ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ ଝାଡ଼ଖଣ୍ଡର ଲାଗଡ଼ା ଥାନା ଅଞ୍ଚଳର ବେବି (ଛଦ୍ମନାମ) ହୋମ୍‌ଗାର୍ଡ ଦେବାନନ୍ଦଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବେବିଙ୍କ ମା’ଙ୍କୁ ଜ୍ୱର ହେଉଥିଲା। ସେହି ସମୟରେ ତାଙ୍କ ମାମୁ ହୋମଗାର୍ଡ ଦେବାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ। ଝଡ଼ାଫୁଙ୍କା କରି ଜ୍ୱର ଭଲ କରିଦେବେ ବୋଲି କହିଥିଲେ। ସେଥିପାଇଁ ୧୪ ବର୍ଷର ଏକ କୁଆଁରୀ ଝିଅକୁ ତାଙ୍କ ପାଖକୁ ଆଣିବାକୁ ପଡ଼ିବ ବୋଲି କହିବାରୁ ଗତ ୧୪ ତାରିଖ ଦିନ ଦେବାନନ୍ଦଙ୍କ ପାଖକୁ ବେବିଙ୍କୁ ତାଙ୍କ ମାମୁ ନେଇ ଯାଇଥିଲେ। ସେହିଦିନ ପୂଜାର୍ଚ୍ଚନା ପରେ ରାତିରେ ଦୀପ ଜାଳି ବେବିଙ୍କୁ ଏକା ବସିବାକୁ କହି ଦେବାନନ୍ଦ ଦୁଷ୍କର୍ମ କରିଥିଲେ। ଏ କଥା କାହାକୁ କହିଲେ ମାରି ଦେବାକୁ ଦେଇଥିଲେ ଧମକ। ଦୁଇଦିନ ପରେ ଅର୍ଥାତ୍ ଗତକାଲି ବେବି ଦୁଷ୍କର୍ମ ସମ୍ପର୍କରେ ଘରେ କହିବାରୁ ତାଙ୍କ ମାମୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଜି ଦେବାନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି ଜାମଦା ଅଞ୍ଚଳର ଜଣେ ନାବାଳିକା ଏଏସ୍‌ଆଇ ଆନନ୍ଦ ମାଝୀଙ୍କ ସରକାରୀ ବାସଭବନରେ ସହାୟିକା ଭାବେ ୪ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କୁ ଏକୁଟିଆ ପାଇ ଆନନ୍ଦ ମାଝୀ ଦୁଷ୍କର୍ମ କରିଥିଲେ। ସେ ଏନେଇ ତାଙ୍କ ପିଉସୀଙ୍କୁ କହିବାରୁ ସେ ଥାନାରେ ଦେଇଥିବା ଏତଲା ଆଧାରରେ ଆନନ୍ଦ ମାଝୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button