ଇ-ଚାଲାଣ ଆଦାୟ ଟାର୍ଗେଟ୍ ପୂରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର : ପରିବହନ ବିଭାଗର ବିଚିତ୍ର ନିଷ୍ପତ୍ତି। ନିୟମ ଉଲ୍ଲଂଘନକାରୀ ଗାଡିଚାଳକଙ୍କ ଠାରୁ ଜରିମାନା ଆଦାୟ ପାଇଁ ଦିଆଗଲା ଟାର୍ଗେଟ। ସେଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ପକ୍ଷରୁ ରାଜ୍ୟର ସବୁ ଆରଟିଓ ଓ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଆଉ ସଫେଇ ଦିଆଯାଇଛି ମୋଟର ଯାନ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ କେବଳ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରୁଛି ତାହା ନୁହେଁ। ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ କମାଇବ।
ଖବର ଅନୁଯାୟୀ ଏସଟିଏ ଲେଖିଥିବା ଚିଠି ଉଦ୍ଦେଶ୍ୟ ବୋଧହୁଏ ନିୟମ ଉଲ୍ଲଂଘନକାରୀଙ୍କୁ ବାଟକୁ ଆଣିବା ପାଇଁ ନୁହେଁ। ଲକ୍ଷ୍ୟ ରାଜସ୍ୱ ବୃଦ୍ଧି। ଏପରି ଚର୍ଚ୍ଚା ହେଲାଣି। କାରଣ ହେଲା ନିୟମ ଉଲ୍ଲଂଘନକାରୀଙ୍କ ସଂଖ୍ୟା ନାହିଁ। କେତେଜଣ ନିୟମ ଭାଙ୍ଗିବେ ତାହା କିଏ କହିବ। ଏହାସତ୍ତ୍ଵେ ଇ-ଚାଲାଣ କାଟିବାକୁ ଟାର୍ଗେଟ୍ ଦିଆଗଲା କିପରି ? ଏହାଦ୍ୱାରା ନିୟମ ଉଲଂଘନ ହୋଇଥାଉ ବା ନଥାଉ ପରିବହନ ଅଧିକାରୀ ଓ କର୍ମଚାରୀମାନେ ଗାଡି ଚାଳକଙ୍କ ଠାରୁ ଅର୍ଥ ଆଦାୟ କରିବେ। ବିଭାଗର ଏପରି ନିୟମସବୁ ରହିଛି ଜଣେ ସୋରୁମରୁ ନୂଆ ଗାଡି କିଣି ରାସ୍ତାକୁ ଆଣିଲେ ଫାଇନ ଗଣିବ। ଆହୁରି ମଧ୍ୟ କୁହାଯାଉଛି ଜରିମାନା ଆଦାୟ ଅର୍ଥରୁ ଯେତିକି ରାଜକୋଷକୁ ଯିବ ତ’ଠୁ ଅଧିକ ବାଟମାରଣା ହେବାର ସମ୍ଭାବନା ରହିଛି। ଲୋକଙ୍କୁ ଶୋଷଣ ଓ ନିଜର ଆୟବୃଦ୍ଧି ହେବ ଟାର୍ଗେଟର ମୁଖ୍ୟ ଉଦ୍ଦେଶ୍ୟ। ଏହା କ’ଣ ରାଜ୍ୟ ସରକାରଙ୍କ ସ୍ଵଚ୍ଛ ଶାସନର ନମୁନା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

























