ଏପ୍ରିଲରୁ ଜୁନ୍‌ ଗ୍ରୀଷ୍ମପ୍ରବାହ ଅଧିକ

ଭୁବନେଶ୍ଵର : ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେବେ। ଏପରି ଅବସ୍ଥା ଦେଶର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିବ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୩ ମାସର ତାପମାତ୍ରା ଆଉଟ୍‌ଲୁକ୍‌ ଜାରି କରି ଏହି ସୂଚନା ‌ଦେଇଛି। ଏଥିରେ କୁହାଯାଇଛି ଏପ୍ରିଲରୁ ଜୁନ୍‌ ଭି‌ତରେ ରାଜ୍ୟରେ ବର୍ଷା କମ୍‌ ଓ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ପ୍ରଚଣ୍ଡ ତାତିରେ ସାରା ଦେଶରେ ଅସହ୍ୟ ପରିସ୍ଥିତି ସୃଷ୍ଟି ହେବ। ଦିନରେ ଖରା ତାତି ଓ ରାତିରେ ପ୍ରବଳ ଗରମ ଲୋକଙ୍କୁ କରିବ ଅସ୍ତବ୍ୟସ୍ତ। ଓଡ଼ିଶାରେ ମଧ୍ୟ ପରିସ୍ଥିତି ସମାନ ରହିବ। ଦକ୍ଷିଣ ଉପଦ୍ଵୀପ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ଏହି ତିନି ମାସରେ ଦିନର ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ। ସେହିଭଳି ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ଅଧିକ ରହିବ। ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତର କିଛି ଅଞ୍ଚଳରେ ରାତି ତାପମାତ୍ରା କିଛିଟା କମ୍‌ ରହିପାରେ ବୋଲି କୁହାଯାଇଛି।

କେନ୍ଦ୍ରୀୟ ଭାରତ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ଏପ୍ରିଲରେ ସ୍ଵାଭାବିକଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ। ଫଳରେ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅଧିକ ଦିନ ରହିବ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ଛତିଶଗଡ଼, ମହାରାଷ୍ଟ୍ରର ପଶ୍ଚିମାଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। କେବେଳ ଏପ୍ରିଲ ନୁହେଁ, ମେ’ ଓ ଜୁନ୍‌ ମାସରେ ଗ୍ରୀଷ୍ମ ପ୍ରବାହ ଦିନଗୁଡ଼ିକ ସଂଖ୍ୟା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଉଛନ୍ତି।

ଓଡ଼ିଶା ସମେତ ଉତ୍ତରପୂର୍ବ, ପୂର୍ବ ଓ ପଶ୍ଚିମ ଉପକୂଳ ଭାରତର ରାଜ୍ୟଗୁଡ଼ିକରେ ଏହି ୩ ମାସରେ ବର୍ଷା ସ୍ଵାଭାବିକଠାରୁ କମ୍‌ ବର୍ଷିବ। ଫଳରେ ଅଧିକ ଅନୁଭୂତ ହେବ। ଦେଶର ଅବଶିଷ୍ଟ ଅଞ୍ଚଳରେ ସ୍ଵାଭାବିକଠାରୁ ଅଧିକ ବର୍ଷା ବା କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button