ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। ସେହିପରି ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଦେଇଛନ୍ତି ଆହ୍ଵାନ।

ଏହାଛଡା ଓଡ଼ିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଓଡ଼ିଆ ଭାଷାରେ ଟୁଇଟ୍‌ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦ ଜଣାଉଛି। ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍‌ ଇଞ୍ଜିନ୍‌ ହେବାରେ ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରୁଛି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଭାଷାରେ ଟୁଇଟ୍‌ କରିଛନ୍ତି ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଓ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ସମୃଦ୍ଧି କାମନା କରୁଛି।

Leave a Reply

Your email address will not be published. Required fields are marked *

Back to top button