କଟକ-ଭୁବନେଶ୍ୱରରେ ପ୍ରାକ୍ ମୌସୁମୀ ବର୍ଷା

janatakhabar.in

ଭୁବନେଶ୍ଵର : କଟକ ଓ ଭୁବନେଶ୍ଵରରେ ଆଜି ସକାଳର ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ମଧ୍ୟାହ୍ନରେ ପ୍ରାକ୍ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ଵସ୍ତି ଦେଇଛି। ଏହି ଦୁଇ ସହର ବ୍ୟତୀତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବର୍ଷାର ଯୋଗୁ କଟକ- ଭୁବନେଶ୍ୱରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ସୂଚନା ମିଳିଛି।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ୭ ସେମି ବର୍ଷା ହୋଇଥିବା ବେଳେ ଉମରକୋଟ, ଝରିଗାଁରେ ୬ ସେମି, କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଜୟପାଟଣାରେ ୫ ସେମି ଲେଖାଏ ବର୍ଷା ରେକର୍ଡ କରାଯାଇଛି।

ଏହାବ୍ୟତୀତ ଝାରସୁଗୁଡ଼ା, ମାଲକାନଗିରି, ଫୁଲବାଣୀ, ନୟାଗଡ଼, ଗଜପତି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ଵର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏଣିକି ବର୍ଷା ପରିମାଣ ବଢ଼ିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *