କର୍ଣ୍ଣାଟକରେ କଂଗ୍ରେସର ବିଜୟ ପାଇଁ ଚର୍ଚ୍ଚାରେ ସୁନୀଲ କାନୁଗୋଲୁ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସର ବିଜୟ ପାଇଁ ଦଳର ବଡ ବଡ ନେତାଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସିଛି। ସେହି ବ୍ୟକ୍ତିଜଣକ ହେଉଛନ୍ତି ସୁନୀଲ କାନୁଗୋଲୁ। ଯାହାଙ୍କ ପାଇଁ କଂଗ୍ରେସ ଉପରେ ଲୋକେ ଆସ୍ଥା ପ୍ରକଟ କରିଛନ୍ତି।

ଖବର ଅନୁଯାୟୀ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହଯୋଗୀ ହେଉଛନ୍ତି ସୁନୀଲ କାନୁଗୋଲୁ। ଗତବର୍ଷ ସେ କଂଗ୍ରେସ ସହ ହାତ ମିଳାଇଥିଲେ। ତାଙ୍କୁ ଦିଆଯାଇଥିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଦାୟିତ୍ଵ। ଯେଉଁ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିର୍ବାଚନ ଜିତାଇଥିଲେ ସେ କ’ଣ କଂଗ୍ରେସକୁ ସଫଳତା ଦେଇପାରିବେ ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଏହାର ଉତ୍ତର ଦେଇଛି। ବିଜେପିର କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନ ଉପରେ ଲାଗିଛି ଶକ୍ତ ଝଟକା।

ନିର୍ବାଚନ ସମୟରେ ହିଁ ସୁନୀଲ କଂଗ୍ରେସ ପାଇଁ ଲଗାତାର ରଣନୀତି ପ୍ରସ୍ତୁତ କରୁଥିଲେ । ବିଜେପି ପକ୍ଷରୁ ଦିଆଯାଉଥିବା ଭାଷଣର କାଉଣ୍ଟର ଏଜେଣ୍ଡା ପ୍ରସ୍ତୁତ କରିବା ସହିତ କେମିତି କଂଗ୍ରେସ ସାଧାରଣ ଲୋକଙ୍କ ନିକଟତର ହେବ, ସେନେଇ ଯୋଜନା ପ୍ରସ୍ତୁତ କରୁଥିଲେ ସୁନୀଲ କାନୁଗୋଲୁ । ତେଣୁ କଂଗ୍ରେସର ଏହି ବିଜୟ ପଛରେ ସେ ହିଁ ଅସଲ ନାୟକ ବୋଲି କୁହାଯାଉଛି ।

ସୁନୀଲ କାନୁଗୋଲୁ କର୍ଣ୍ଣାଟକର ମୂଳବାସିନ୍ଦା। ପରିବାର ସହ ଚେନ୍ନାଇରେ ରହନ୍ତି। ଏକ ସାଧାରଣ ପରିବାରରୁ ଆସି କଂଗ୍ରେସକୁ ବଡ ବିଜୟର ଭେଟି ଦେଇଛନ୍ତି। ଏହା ପୂର୍ବରୁ ସେ ଭାରତ ଯୋଡ ଯାତ୍ରାର ରଣନୀତି ପ୍ରସ୍ତୁତି କରିଥିଲେ। ଏହାକୁ ଲୋକପ୍ରିୟ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା। ଆଗାମୀ ଦିନରେ ସୁନୀଲ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ୨୦୧୭ ମସିହା ୟୁପି ବିଧାନସଭା ନିର୍ବାଚନ ସମୟରେ ସୁନୀଲ ବିଜେପି ପାଇଁ କାମ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଡିଏମକେ ଓ ୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ପାଇଁ କାମ କରିଥିଲେ। ମିଳିଥିଲା ସଫଳତା।

Leave a Reply

Your email address will not be published. Required fields are marked *

Back to top button