କଳାହାଣ୍ଡି ବିଜେଡିରେ ଗୋଷ୍ଠୀ କନ୍ଦଳ ତେଜୁଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ। ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ଗୁରୁତ୍ଵ ଦିଆଯାଉନଥିବାରୁ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତିରେ ପୂର୍ବତନ ଲୋକସଭା ସାଂସଦ ଅର୍କକେଶରୀ ଦେଓ ଓ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେପିମୁହାଁ ହେଉଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଅର୍କକେଶରୀ ଦେଓ ଏବଂ ବଳଭଦ୍ର ମାଝୀଙ୍କ ସମେତ ଅନାମ ନାଏକ, ଦୁଷ୍ମନ୍ତ ନାଏକ, ଧନେଶ୍ଵର ମାଝୀ ଭଳି ପୂର୍ବତନ ବିଧାୟକମାନେ ଦଳରେ ଏବେ ଅଲୋଡ଼ା ହୋଇଯାଇଛନ୍ତି। ୨୧୧୯ ସାଧାରଣ ନିର୍ବାଚନରେ ବିଜେଡି ଅର୍କକେଶରୀ ଦେଓଙ୍କୁ ଟିକେଟ ଦେଇନଥିଲା। ତାହା ପରଠାରୁ ସେ କୈାଣସି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିନି। ଶୁଣିବାକୁ ମିଳୁଛି କେଇଦିନ ତଳେ ଅର୍କକେଶରୀ ଦିଲ୍ଲୀଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ତେଣୁ ଚର୍ଚ୍ଚା ହେଉଛି ସେ ବିଜେପିରେ ମିଶିବେ। ଅର୍କଙ୍କ ପତ୍ନୀ ମାଳବିକା ଦେଓଙ୍କୁ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ କରିବ ବୋଲି ଶୁଣାଯାଉଥିଲା। ହେଲେ ଅର୍କ ନିଜେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବାରୁ ନିଷ୍ପତ୍ତି ଅଟକିଥିବା ଆଲୋଚନା ହେଉଛି।

ସେହିପରି ପୂର୍ବତନ ସାଂସଦ ବଳଭଦ୍ର ମାଝୀ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଥିଲେ। ଏବେ ଆଲୋଚନା ହେଉଛି ଅର୍କ ଓ ବଳଭଦ୍ର ଗୁରୁତ୍ଵ ଦିଆଯାଉନଥିବା ବିଜେଡି ନେତାମାନଙ୍କୁ ବିଜେପିରେ ମିଶିବା ନେଇ ଯୋଜନା କରୁଛନ୍ତି। ଯଦି ଏହା ସତ୍ୟହୁଏ ତେବେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ଏହାଛଡା ସାଇନିଂ କଳାହାଣ୍ଡି କାର୍ଯ୍ୟକ୍ରମରେ ଯୋଗଦେଇ ବହିଷ୍କୃତ ହୋଇଛନ୍ତି ଭବାନୀ ଶଙ୍କର ନିଆଲ। ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ‌ଅନ୍ୟ ନେତାମାନେ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଛନକା ପଶିଥିବା କୁହାଯାଉଛି।

କେବଳ ସେତିକି ନୁହେଁ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପର୍କ ଉତ୍ତମ ନୁହେଁ। ଜିଲ୍ଲାରେ ନିଜ ପତିଆରା ଜାହିର କରିବାକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ବିଜେଡିର ଅନ୍ୟ ନେତାମାନେ ପ୍ରଭାବିତ ହେଉଥିବା ଚର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ। ଯଦି ସ୍ଥିତିରେ ପରିବର୍ତ୍ତନ ନହୁଏ ତେବେ ବିଜେଡି ଏହି ଜିଲ୍ଲାରେ କ୍ଷତି ସହିବ ସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *

Back to top button