କାଳବୈଶାଖୀ : ନୟାଗଡ ଜିଲ୍ଲାରେ ଗଛଡାଳ ଭାଙ୍ଗି ଦୁଇଜଣଙ୍କ ମୃତ୍ୟୁ

ଭୁବନେଶ୍ଵର : କାଳବୈଶାଖୀ ଯୋଗୁ ନୟାଗଡ଼ ଜିଲ୍ଲାରେ ଦୁଇଜଣଙ୍କ ଜୀବନ ଯାଇଛି। ଖଣ୍ଡପଡ଼ାରେ ଗୋଟିଏ ଘଟଣା ଘଟିଥିବା ବେଳେ ଅନ୍ୟଟି ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲାରେ ଘଟିଛି।

ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ହରିଜନ ସାହିରୁ ଗୋଟିଏ ପରିବାର ଲୋକେ ଅଟୋରେ ଯାଉଥିବା ବେଳେ ବାଟରେ ଆରମ୍ଭ ହୋଇଥିଲା କାଳବୈଶାଖୀ। ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଚଳନ୍ତା ଅଟୋ ଉପରେ ଗଛ ଡାଳ ପଡ଼ିବାରୁ କିଆଝରି ପଞ୍ଚାୟତ ହରିଜନ ସାହିର ରସ୍ମିତା ନାୟକଙ୍କର ମୃତ୍ୟୁ ଘଟିଛି। ତାଙ୍କ ମା’ ରୋମା ନାୟକ, ସମ୍ପର୍କିୟ ଝିଲି ନାୟକ ଓ ବିମଳା ନାୟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଗଛ ଡାଳ ପଡ଼ି ଆଇସକ୍ରିମ୍ ବେପାରୀର ମୃତ ହୋଇଛି। ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲା କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏହି ଅଘଟଣ ଘଟିଛି। ମୃତକ ଖଣ୍ଡପଡା ଥାନା ଅନ୍ତର୍ଗତ ମାଧବେରେଣୀ ଗ୍ରାମର ନବ ଖଟୁଆ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button