କୋରାପୁଟ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼

କୋରାପୁଟ : ପଞ୍ଚାୟତ ସମିତି କାର୍ଯ୍ୟାଳୟର ନୂତନ ଗୃହ ଲୋକାର୍ପଣ ପାଇଁ ଲାଗିଥିବା ଫଳକରେ ସାଂସଦ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ନଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକାର୍ପଣ ପୂର୍ବରୁ ଭାଙ୍ଗି ଦିଆଯାଇଛି। ଆଉ ବିଧାୟକଙ୍କ ଗାଡିକୁ ହୋଇଛି ଅଣ୍ଡାମାଡ଼।

ଖବର ଅନୁଯାୟୀ ଲୋକାର୍ପଣ ହେବାର ଥିଲା ଲମ୍‌ତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ନୂତନ ଗୃହ। କୋରାପୁଟ ବିଧାୟକ ରଘୁରାମ ପଡାଲ ଥିଲେ ମୁଖ୍ୟଅତିଥି। କିନ୍ତୁ ନାମ ଫଳକରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ନଥିଲା। ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଆଜି ସକାଳେ ନାମ ଫଳକୁ ଭାଙ୍ଗି ଦିଆଯାଇଥିଲା। ଏହି ମାମଲାରେ ପୋଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ପରେ ପ୍ରଶାସନ ପକ୍ଷରୁ ନୂଆ ଫଳକ ତିଆରି କରାଯାଇଥିଲା। ମଧ୍ୟାହ୍ନରେ କଡ଼ା ସୁରକ୍ଷା ବଳୟ ଭିତରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍‌ ଲୋକାର୍ପଣ ସମାରୋହକୁ ଆସୁଥିଲେ। ହେଲେ ଲମତାପୁଟ ଛକରେ ପୂର୍ବରୁ ଛପି ରହିଥିବା ଜଣେ କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲେ। ସେହି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ବିଧାୟକ ଗୃହ ଲୋକାର୍ପଣ କରି ଫେରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button