ଘୃଣ୍ୟ ଭାଷଣ ପ୍ରସଙ୍ଗ : ନିଜ ଆଡ଼ୁ ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ଉପରେ କେହି ଅଭିଯୋଗ ନ କଲେ ମଧ୍ୟ ମାମଲା ରୁଜୁ କରିବାକୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ପୋଲିସକୁ କହିଛନ୍ତି ନିଜ ଆଡ଼ୁ ମାମଲା ରୁଜୁ କର। ବିଳମ୍ବ ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ।

ଖବର ଅନୁଯାୟୀ ଘୃଣ୍ୟ ଭାଷଣ ବିରୋଧରେ ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୦୨୨ରେ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପୋଲିସକୁ ନିର୍ଦେଶ ଦେଇଥିଲେ। ଏହି ଆଦେଶର ପରିସରକୁ ଆଜି କୋର୍ଟ ବଢ଼ାଇ ଦେଇଛନ୍ତି। ଏ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଘୃଣ୍ୟ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ପ୍ରଭାବିତ କରିବାରେ ସକ୍ଷମ।

ସୂଚନାଯୋଗ୍ୟ ଘୃଣ୍ୟ ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରି ଦାଏର ହୋଇଥିବା ଅବମାନନା ଆବେଦନ ଉପରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗିଥିଲେ। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ କେଏମ୍‌ ଜୋସେଫ୍‌ ଓ ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ତାଙ୍କ ରାୟରେ କହିଛନ୍ତି ଏହି ମାମଲାରେ ଆମେ ସ୍ପଷ୍ଟ କରୁଛୁ ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଧର୍ମ ନିର୍ବିିଶେଷରେ ଏଭଳି ପଦକ୍ଷେପ ନିଆଯାଉ, ଯାହାଦ୍ୱାରା ସମ୍ବିଧାନର ପ୍ରସ୍ତାବନା ଅନୁଯାୟୀ ଭାରତର ଧର୍ମନିରପେକ୍ଷ ଚରିତ୍ର ବଜାୟ ରହିବ।

ଏପ୍ରସଙ୍ଗରେ ଆବେଦନକାରୀମାନେ ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପାରିସ କରିଥିବା ବେଳେ ଖଣ୍ଡପୀଠ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖାଏଁ ପରାମର୍ଶ ଦେଇଛନ୍ତି। ସେହିପରି ସୋସିଆଲ ମିଡିଆରୁ ଘୃଣ୍ୟ ଭାଷଣ ପ୍ରତ୍ୟାହାର ପାଇଁ ଏକ ପ୍ରକ୍ରିୟା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ଆବେଦନକାରୀମାନେ କହିଥିଲେ। ହେଲେ ଖଣ୍ଡପୀଠ କହିଛନ୍ତି ବିଚାରପତିମାନେ ଅଣରାଜନୈତିକ ଓ ପାର୍ଟି କିମ୍ବା ଦଳ ସହିତ ଜଡ଼ିତ ନୁହଁନ୍ତି। ଆମମାନଙ୍କ ପାଇଁ କେବଳ ଭାରତର ସମ୍ବିଧାନ ହେଉଛି ମୁଖ୍ୟ। ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *

Back to top button