ସମୁଦ୍ରରେ ଲୀନ ହେବ ପୁରୀ ଓ ପାରାଦୀପ

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ମସିହା ସୁଦ୍ଧା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମୁଦ୍ରରେ ବୁଡିଯାଇପାରେ। ବିଶ୍ୱ ପାଣିପାଗ ପରିବର୍ତ୍ତନ ଉପରେ ପ୍ରକାଶିତ ଅନ୍ତର୍ଜାତୀୟ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ ଭାରତ ସମେତ ୭ଟି ଦେଶର ଉପକୂଳବର୍ତ୍ତୀ ସହର ସବୁ ସମୁଦ୍ରରେ ଲୀନ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ତାଲିକାରେ ରହିଛି ଓଡ଼ିଶାର ପୁରୀ ଓ ପାରାଦୀପ ଭଳି ସହର। ଏହାର କାରଣ ବିଶ୍ୱରେ ପାଣିପାଗ ପରିବର୍ତ୍ତନ ଯୋଗୁଁ ସମୁଦ୍ର ସ୍ଥଳ ଭାଗକୁ ମାଡି ଯିବାର ଆଶଙ୍କା ବଢିଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଁ ବରଫ ତରଳୁଥିବାରୁ ସମୁଦ୍ରପତ୍ତନ ବଢୁଛି। ନାସାର ସାଟେଲାଇଟ ଚିତ୍ରରୁ ସମୁଦ୍ର ସ୍ଥଳ ଭାଗ ଆଡକୁ ବଢୁଥିବା ଜଣାପଡିଛି। ତେଣୁ ଆନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟ କେବେଳ ଆଶଙ୍କା ସୃଷ୍ଟି କରୁନାହିଁ ଉପକୂଳବର୍ତ୍ତୀ ଜିଲ୍ଲାର ସୁରକ୍ଷା ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ଚେତାଇ ଦେଇଛି।

ବଢୁଥିବା ବିଶ୍ୱ ତାପମାତ୍ରା ଯୋଗୁଁ ଅଶାନ୍ତ ସମୁଦ୍ରର ଚିତ୍ର ଅନେକ ବାର ସାମ୍ନାକୁ ଆସିଛି। କିନ୍ତୁ ଏସବୁକୁ ଅନୁଧ୍ୟାନ ପରେ କ୍ଲାଇମେଟ ସେଂଟ୍ରାଲ ରିପୋର୍ଟରେ କୁହାଯାଇଛି ୨୦୫୦ ମସିହା ସୁଦ୍ଧା ସମୁଦ୍ରର ଜଳପତ୍ତନ ଯଥେଷ୍ଟ ବୃଦ୍ଧି ପାଇବ। ଯାହାଫଳରେ ପୁରୀ ସମୁଦ୍ର ଗର୍ଭକୁ ଚାଲିଯିବାର ଆଶଙ୍କା ରହିଥିବା ବେଳେ ବାଲେଶ୍ୱର, ପାରାଦୀପ ଓ ପୁରୀ ଜିଲ୍ଲାର ବହୁ ଅଂଚଳ ସମୁଦ୍ରରେ ବୁଡି ଯିବାର ସମ୍ଭାବନା ରହିଛି। ଗତକିଛି ବର୍ଷ ଭିତରେ ଅସ୍ତରଙ୍ଗରେ ସମୁଦ୍ରର ଅଶାନ୍ତ ରୂପ ଯୋଗୁ କୂଳବର୍ତ୍ତୀ କିଛି ଗାଁ ପାଣିରେ ବୁଡି ଯିବାର ନଜିର ରହିଛି। ଆଗକୁ ସମୁଦ୍ର ଆହୁରି ଫୁଲିବା ସହ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ବଡ ଧରଣର ବିପଦ ସୃଷ୍ଟି କରିପାରେ। ଏପରିକି ସମୁଦ୍ର ମାଡି ଆସିବା ଯୋଗୁ ଓଡ଼ିଶାର ୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବେ ବୋଲି ‘କ୍ଲାଇମେଟ ସେଂଟ୍ରାଲ’ ନାମକ ଆନ୍ତର୍ଜାତୀୟ ଗବେଷଣା ସଂସ୍ଥା ଆକଳନ କରିଛି।

ସେହପରି ଏହି ଆନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛି ଭାରତର ମୁମ୍ବାଇ, ସୁରଟ, ପୋରବନ୍ଦର, ପଶ୍ଚିମବଙ୍ଗ ଓ ଚେନ୍ନାଇ ଉପକୂଳ ପ୍ରତି ସମୁଦ୍ର ବିପଦ ରହିଛି। ଏପରି ବିପତ୍ତି ପାଇଁ ୭ଟି ଦେଶରେ ପ୍ରାୟ ୩୦କୋଟି ଲୋକ ପ୍ରଭାବିତ ହେବେ। ୨୦୫୦ ମସିହାରୁ ୨୧୦୦ ମସିହା ଭିତରେ ସାରା ବିଶ୍ୱ ସମୁଦ୍ରର କରାଳ ରୂପ ଦେଖିବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button