ଜାତୀୟ ଶିକ୍ଷାନୀତିରେ ସଂସ୍କାର ଆସିବ

ଭୁବନେଶ୍ଵର : ଜାତୀୟ ଶିକ୍ଷାନୀତିରେ ହେବ ସଂସ୍କାର। ସିବିଏସଇ ଓ ଆଇସିଏସଇ ସହିତ ରାଜ୍ୟଗୁଡିକର ୬୦ଟି ବୋର୍ଡ ପ୍ଲାଟଫର୍ମ ଅଧୀନରେ ରହିବ। ସେଥିପାଇଁ ରାଜ୍ୟ ବୋର୍ଡ ଗୁଡିକଠାରୁ ପରାମର୍ଶ ଲୋଡାଯିବା ସହିତ କମନ ଆସେସମେଣ୍ଟ ପ୍ରକ୍ରିୟାରେ ସମାନତା ଅଣାଯିବ।

ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ ଶେଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରାଳୟ ସଚିବ ସଞ୍ଜୟ କୁମାର କହିଛନ୍ତି ସମଗ୍ର ଦେଶରେ କମନ ଆସେସମେଣ୍ଟ ପ୍ଲାଟଫର୍ମ ବିକଶିତ ହେବ। ଜାତୀୟ ଶିକ୍ଷାନୀତିରେ ପାଠପଢା ପ୍ରତିଯୋଗିତାମୂଳକ କରାଯିବ। ଚିରାଚରିତ ଘୋଷଣା ପାଠ ବଦଳରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ମୂଲ୍ୟାୟନ ପଦ୍ଧତିରେ ହେବ ପରିବର୍ତ୍ତନ। ଏହାଛଡା ଆଗାମୀ ଶିକ୍ଷାନୀତିରେ ପିଲାଙ୍କ ଉପରୁ ପାଠପଢା ଭାର କମିବ। ଏସବୁକୁ ବିଚାର କରି ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ନୂଆ ପାଠ୍ୟକ୍ରମ ଆଣିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ସଞ୍ଜୟ କୁମାର କହିଲେ କେନ୍ଦ୍ର ସରକାର ସ୍କୁଲସ୍ତରରୁ ପିଲାଙ୍କ ଦକ୍ଷତା ବିକାଶ ପାଇଁ ବିଚାର କରୁଛନ୍ତି। ଦେଶର ସବୁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦକ୍ଷତା ବିକାଶର ପାଠ ପଢାଯିବ। ୨୦୩୦ ସୁଦ୍ଧା ଦେଶର ୫୦ ପ୍ରତିଶତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ପଦ୍ଧତିରେ କୁଶଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button