ଦେଶରେ ଏସ-୪୦୦ରୁ ହେବ ପ୍ରଥମ ଫାୟାରିଂ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦କୁ ପ୍ରଥମ ଦୁଇ ସ୍କ୍ୱାଡନରେ ପରୀକ୍ଷଣ କରାଯିବ। ଦେଶରେ ଏହାର ପ୍ରଥମ ଫାୟାରିଂ ଖୁବଶୀଘ୍ର ହେବ ବୋଲି କହିଛନ୍ତି ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ।
ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମିଜାଇଲ ସିଷ୍ଟମକୁ ରୁଷର କିଣାଯାଇଛି। ଭାରତକୁ ପଠାଇବା ପୂର୍ବରୁ ରୁଷ ନିଜ ଦେଶରେ ଏହାର ଟେଷ୍ଟିଂ କରିଥିଲା। କିନ୍ତୁ ଭାରତରେ ଏହାର ଟେଷ୍ଟିଂ ହୋଇ ନାହିଁ। କୌଣସି ଦ୍ରୁତଗତିରେ ଯାତ୍ରା କରୁଥିବା ଟାର୍ଗେଟକୁ ଏହି ମିଜାଇଲ ସିଷ୍ଟମ ଦ୍ଵାରା ନଷ୍ଟ କରାଯାଇ ପାରିବ। ମିଜାଇଲ ସିଷ୍ଟମର ପ୍ରଥମ ଦୁଇ ସ୍କ୍ୱାଡନକୁ ଉତ୍ତର ଓ ପୂର୍ବ ସେକ୍ଟରରେ ନିୟୋଜିତ କରାଯାଇଛି। ବାୟୁସେନାକୁ ବର୍ତ୍ତମାନ ସୁଦ୍ଧା ତିନି ସ୍କ୍ୱାଡନ ମିଳିଛି।
ଏସ-୪୦୦ ମିଜାଇଲ ସିଷ୍ଟମର ଗୋଟିଏ ରେଜିମେଣ୍ଟରେ ଥାଏ ଆଠ ଲଞ୍ଚର ଅର୍ଥାତ୍ ଆଠଟି ଲଞ୍ଚିଂ ଟ୍ରାକ୍। ପ୍ରତିଟି ଟ୍ରାକରେ ରହିଥିବା ୪ଟି ଲଞ୍ଚରରୁ ୪ଟି ମିଜାଇଲ ଫାୟାର ହୋଇପାରିବ। ମୋଟ ଉପରେ ଗୋଟିଏ ରେଜିମେଣ୍ଟରେ ଥାଏ ୩୨ ମିଜାଇଲ। ତେଣୁ ଏକ ସମୟରେ ୩୨ ମିଜାଇଲ ମାଡ କରାଯାଇ ପାରିବ।
ଏସ-୪୦୦ ମିଜାଇଲ ଶତ୍ରୁର ବିମାନ, ବାଲେଷ୍ଟିକ୍ ମିଜାଇଲ ଓ AWACS ବିମାନକୁ ୪୦୦ କି.ମି, ୨୫୦ କି.ମି, ମଧ୍ୟମ ଦୂରତା ୧୨୦ କି.ମି ଏବଂ କମ ଦୂରତାର ୪୦ କିଲୋମିଟରରୁ ନଷ୍ଟ କରିପାରିବ। ଏହି ସିଷ୍ଟମ ୧୦୦ରୁ ୪୦ ହଜାର ଫୁଟ ଉଚ୍ଚ ମଧ୍ୟରେ ଉଡୁଥିବା ପ୍ରତିଟି ଟାର୍ଗେଟକୁ ନଷ୍ଟ କରିବାକୁ ସକ୍ଷମ। ଏହାର ରାଡାର ଏତେ ଶକ୍ତିଶାଳୀ ଯେ ୬୦୦ କିଲୋମିଟର ମଧ୍ୟରେ ପ୍ରାୟ ୧୬୦ ଓ ୪୦୦ କିଲୋମିଟର ଭିତରେ ୭୨ ଟାର୍ଗେଟକୁ ଟ୍ରାକ୍ କରିପାରିବ।




























