ଦେଶରେ ସବୁଠୁ ସୁଖୀ ରାଜ୍ୟ ମିଜୋରାମ

ଆଇଜଲ : ଭାରତରେ ଶତପ୍ରତିଶତ ସାକ୍ଷରତା ହାରରେ ଦ୍ଵିତୀୟ ସ୍ଥାନ ନେଇଥିବା ରାଜ୍ୟ ହେଉଛି ମିଜୋରାମ। ଏହାଛଡା ଦେଶର ସବୁଠାରୁ ସୁଖୀ ରାଜ୍ୟ ବୋଲି ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାପଡିଛି।

ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭ୍‌ଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ‌ଷ୍ଟ୍ରାଟେଜି ପ୍ରଫେସର ରାଜେଶ କେ ପିଲ୍ଲାନିଆଙ୍କ ଦ୍ଵାରା ପାରିବାରିକ ସମ୍ପର୍କ, ନିଯୁକ୍ତି, ସାମାଜିକପ୍ରସଙ୍ଗ, ଜନମଙ୍ଗଳ, ଧର୍ମ, କୋଭିଡ୍‌-୧୯ର ପ୍ରଭାବ ଏବଂ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏହି ରିପୋର୍ଟକୁ ଭିତ୍ତିକରି ମିଜୋରାମର ଖୁସି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଆଇଜଲସ୍ଥିତ ସରକାରୀ ମିଜୋ ହାଇସ୍କୁଲର ଜଣେ ଛାତ୍ରଙ୍କ କହିଛନ୍ତି ତାଙ୍କ ବାପା ପରିବାରକୁ ତ୍ୟାଗ କରି ଚାଲିଯିବା ପରେ ତାଙ୍କୁ ବହୁ କଠିନ ସମସ୍ୟା ଭିତରେ ଗତି କରିବାକୁ ହୋଇଥିଲା। ଏହାସତ୍ତ୍ୱେ ସେ ସକାରତ୍ମକ ଭାବନା ତ୍ୟାଗ ନକରି ପାଠପଢ଼ାରେ ବେଶ୍ ଭଲ କରିଥିଲେ। ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବେ କିମ୍ବା ପ୍ରଶାସନିକ ପରୀକ୍ଷା ଲାଗି ପ୍ରସ୍ତୁତ ହେବେ ବୋଲି କହିଛନ୍ତି।

ସେହିପରି ଉକ୍ତ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀର ଛାତ୍ର ଜାତୀୟ ପ୍ରତିରକ୍ଷା ଏକାଡେମି (ଏନ୍‌ଡିଏ)ରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବାପା ଏକ କ୍ଷୀର କାରଖାନାରେ କାମ କରନ୍ତି। ମାଆ ଜଣେ ଗୃହିଣୀ। ତାଙ୍କ ଲକ୍ଷ୍ୟ ସଫଳ ହେଉ ଉଭୟ ବାପାମାଆ ଆଶା ରଖିଛନ୍ତି। ଶିକ୍ଷକମାନେ ସାଙ୍ଗ ପରି। ସେମାନେ ଶିକ୍ଷକଙ୍କ ସହ ଯେକୌଣସି ବିଷୟ ସେୟାର କରିପାରନ୍ତି। ନିୟମିତ ତାଙ୍କ ସହ ଓ ବାପାମାଆଙ୍କ ସହ ଯୋଗାଯୋଗ ରଖନ୍ତି।

ମିଜୋରାମର ଯୁବବର୍ଗଙ୍କୁ ଏହାର ସାମାଜିକ ଢାଞ୍ଚା ଖୁସି ରଖିବା ଲାଗି ଅବଦାନ ଦେଇଥାଏ। ଏହି ସମାଜରେ ଜାତିଗତ ଭେଦବିଚାର ନାହିଁ। ପିଲାଙ୍କ ଉପରେ ପାଠପଢ଼ା ନେଇ ବାପାମାଆମାନେ ଚାପ ପକାନ୍ତି ନାହିଁ। ପାଠପଢ଼ା ଶେଷରେ ମିଜୋରାମର ପ୍ରତ୍ୟେକ ପିଲା ଲିଙ୍ଗ ନିର୍ବିଶେଷରେ ରୋଜଗାରକ୍ଷମ ହୋଇଥାନ୍ତି। ୧୬-୧୭ ବର୍ଷ ବୟସର ପିଲାମାନେ ଚାକିରି ପାଇଯାନ୍ତି। ମିଜୋରାମର ଯୁବବର୍ଗ କୌଣସି କାମକୁ ଛୋଟ ମନେ କରନ୍ତି ନାହିଁ। ଏହି ରାଜ୍ୟରେ ଅନେକ ପରିବାର ଭାଙ୍ଗିଯାଇଥିଲେ ମଧ୍ୟ ମାଆମାନେ ରୋଜଗାରକ୍ଷମ। ପିଲାମାନେ କମ୍ ବୟସରେ ଚାକିରି ପାଇଯାଉଥିବାରୁ ସେମାନେ କୌଣସି ଆର୍ଥିକ ଦୁଷ୍ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ନାହିଁ। ସ୍ଵାମୀ-ସ୍ତ୍ରୀ ଉଭୟ ରୋଜଗାରକ୍ଷମ ହୋଇଥିବାରୁ ଯଦି ଉଭୟଙ୍କ ମନ ନମିଳେ ତେବେ ସେମାନେ ଆଶାନ୍ତି ଭିତରେ କାହିଁକି ଏକାଠି ରହିବେ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button