ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୪ ମନ୍ତ୍ରୀ କୋଟିପତି

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି। ୨୦୨୨ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା। ଯାହା ଗତ ବର୍ଷଠାରୁ ୪୨ଲକ୍ଷ ୯୦ହଜାର ଟଙ୍କା ଅଧିକ ବୋଲି ଜଣାପଡିଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍‌ସାଇଟ୍‌ରେ ଉପଲବ୍ଧ ସମ୍ପତ୍ତି ତାଲିକାରେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ। ସେ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ହେଲା ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ଵର ଏସ୍‌ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍‌ ଏସ୍‌ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍‌ରେ ୧୪ ହଜାର ଟଙ୍କା ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌, ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ରହିଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା, ତାଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଓ ୧୯୮୦ ମସିହାର ଏକ ଆମ୍ବାସଡର୍‌ କାର୍‌ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଥିବା ଦୁଇ ତୃତୀୟାଂଶ ସେୟାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ବର୍ତ୍ତମାନର ଏହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ। ତାଙ୍କ ଉପରେ କିଛି ଋଣ ନଥିବା ସେ ଦର୍ଶାଇଛନ୍ତି।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ କୋଟିପତି ମନ୍ତ୍ରୀ ଅଛନ୍ତି। ଏହି ତାଲିକାରେ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର‌ ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ ଦେବ, ବାସନ୍ତୀ ହେମ୍ବ୍ରମ୍‌, ରୋହିତ ପୂଜାରୀ ଓ ଅଶ୍ୱିନୀ ପାତ୍ର। ମନ୍ତ୍ରିମଣ୍ଡଳରେ ଗତବର୍ଷ ସବୁଠାରୁ ଗରିବ ଥିଲେ ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏଥର ସେ ସେହି ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୪୨ ଲକ୍ଷ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button