ନୂତନ ସଂସଦ ଭବନ ଉଦ୍ଘାଟନ ରାଷ୍ଟ୍ରପତି କରିବା ଉଚିତ : ରାହୁଲ୍
ନୂଆଦିଲ୍ଲୀ : ଚଳିତମାସ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ମହଲାବିଶିଷ୍ଟ ନୂତନ ସଂସଦ ଭବନ ଉଦ୍ଘାଟନ କରିବେ। ଏଥିପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ନୂଆ ସଂସଦ ଭବନର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି କରିବା କଥା।
ଅନ୍ୟପକ୍ଷରେ ଏହି ନୂତନ ପାର୍ଲାମେଣ୍ଟ୍ ବିଲ୍ଡିଙ୍ଗ୍କୁ (ସଂସଦ ଅଟ୍ଟାଳିକା) ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅହମିକା ପ୍ରକଳ୍ପ ବୋଲି କଂଗ୍ରେସ କହୁଛି। ସେହିପରି ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ କିନ୍ତୁ ବିଧାନ-ମଣ୍ଡଳର ମୁଖ୍ୟ ନୁହନ୍ତି କହି ଅନେକ ବିରୋଧୀ ନେତା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାରେ ଆପତ୍ତି କରିଛନ୍ତି। ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ ପ୍ରଶ୍ନ କରିଛନ୍ତି, ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାହିଁକି ନୂଆ ସଂସଦ ଭବନ ଉଦ୍ଘାଟନ କରିବେ ନାହିଁ। ପ୍ରଧାନମନ୍ତ୍ରୀ କାହିଁକି ଉଦ୍ଘାଟନ କରିବେ। ସେ କାର୍ଯ୍ୟପାଳିକା ମୁଖ୍ୟ ଅଟନ୍ତି, ବିଧାନ-ମଣ୍ଡଳ ମୁଖ୍ୟ ନୁହନ୍ତି। ଆମର କ୍ଷମତା ପୃଥକିକରଣ ବ୍ୟବସ୍ଥା ରହିଛି। ତେଣୁ, ମାନ୍ୟବର ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଉଦ୍ଘାଟନ କରିପାରିବେ। ଏହା ସର୍ବସାଧାଣଙ୍କ ଅର୍ଥରେ ନିର୍ମିତ, ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁମାନେ ନିଜସ୍ଵ ପାଣ୍ଠିରୁ ଏଥିପାଇଁ ଅର୍ଥ ଦେଇଥିବା ଭଳି ଆଚରଣ କରୁଛନ୍ତି କାହିଁକି ?