ରକ୍ତହୀନତା ରିପୋର୍ଟକୁ ନେଇ ରାଜ୍ୟ ସରକାରକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ଵର : ସ୍ୱାସ୍ଥ୍ୟ ବିଭାଗର ‘ଆମେନିଆମୁକ୍ତ ଲକ୍ଷ୍ୟ ଅଭିଯାନ’ (ଅମ୍ଲାନ) ରିପୋର୍ଟକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ରାଜ୍ୟରେ ମହିଳା ସଶକ୍ତିକରଣ କାହିଁକି ଶକ୍ତିହୀନ ହେଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବିଜେପିର ଅଭିଯୋଗ ରକ୍ତହୀନତା ଦୂରୀକରଣ ନୁହେଁ କେବଳ ଭୋଟ୍ ଲକ୍ଷ୍ୟରେ ରାଜ୍ୟ ସରକାର କାମ କରୁଛି। ହେଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଅମ୍ଲାନ ଯୋଜନା ଯୋଗୁ ରାଜ୍ୟରେ ଶିଶୁ, କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

ଖବର ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଶ୍ମୀ ମହାପାତ୍ର କହିଛନ୍ତି ବିଜେଡି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ରହିଥିଲେ ହେଁ ଆଜି ଓଡ଼ିଶାର ମହିଳାମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉତ୍କଟ ଆକାରରେ ଧାରଣ କରିଛି। ମହିଳାମାନେ ବିଜୁ ଜନତା ଦଳର ବଳ, ମା’ମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କହୁଛନ୍ତି। କିନ୍ତୁ ରାଜ୍ୟ ଜନସଂଖ୍ୟାର ଅଧାଭାଗ ମହିଳା ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ସୁରକ୍ଷା ଏବେ ପ୍ରଶ୍ନବାଚୀ। ମା’ମାନଙ୍କୁ ମମତା, ଜନନୀ ଭଳି ସରକାରୀ ଯୋଜନାରେ ବର୍ଷକୁ ଶହ ଶହ କୋଟି ଟଙ୍କା ଅର୍ଥବ୍ୟୟ ବରାଦ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତିି ବୋଲି ଡିଣ୍ଡିମ ପିଟୁଛନ୍ତିି। ହେଲେ ଏନଏଚଏଫଏସ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୬୪ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଅପପୃଷ୍ଟି ଓ ରକ୍ତହୀନତାର ଶୀକାର ବୋଲି କୁହାଯାଇଛି।

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶାରେ ମା’ମାନଙ୍କ ପାଇଁ ନବୀନ ସରକାରଙ୍କ ହୃଦୟ କାନ୍ଦୁଛି ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ପ୍ରଚାର କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ। ରାଜ୍ୟ ସରକାରଙ୍କ ରିପୋର୍ଟରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ରାଜ୍ୟର ୬ ରୁ ୫୯ ମାସର ୪୨.୩ ପ୍ରତିଶତ ଶିଶୁଙ୍କ ଭିତରେ ରକ୍ତହୀନତା ଦେଖାଦେଇଛି। ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮%, ୧୦ ରୁ ୧୯ବର୍ଷ ଝିଅ ୫୯.୪%, ଗର୍ଭବତୀ ମା’ମାନଙ୍କ ୬୨.୭ପ୍ରତିଶତ, ସ୍ତନ୍ୟପାନ କରାଉଥିବା ୬୮.୬ % ମା’ ରକ୍ତହୀନତାରେ ଶିକାର ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। କେବଳ ପ୍ରଚାର ଓ ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହେବ ନାହିଁ। ଏଥିପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ।

ଅନ୍ୟପକ୍ଷରେ ବିରୋଧୀଙ୍କ ସମାଲୋଚନା ପରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)-୫ ତଥ୍ୟାନୁଯାୟୀ ରାଜ୍ୟରେ ୬ରୁ ୫୯ମାସର ଶିଶୁଙ୍କ ମଧ୍ୟରେ ରକ୍ତହୀନତା ହାର ୬୪.୨% ଥିବାବେଳେ ‘ଅମ୍ଲାନ’ ଯୋଜନା କାର୍ଯ୍ୟକାରୀ ଯୋଗୁ ଏହା ଏବେ ୪୨.୩%କୁ ହ୍ରାସ ପାଇଛି। ସେହିପରି ୧୦ରୁ ୧୯ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ରକ୍ତହୀନତା ହାର ୬୫.୫%ରୁ ୪୬.୯%କୁ ଏବଂ ପ୍ରଜନନକ୍ଷମ ମହିଳାଙ୍କ ରକ୍ତହୀନତା ହାର ୬୪.୩%ରୁ ୫୫.୭%କୁ ହ୍ରାସ ପାଇଛି। ଜାତୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଦ୍ୱାରା ରକ୍ତହୀନତା ହ୍ରାସ କରାଯାଇ ପାରିଛି। ସେ କହିଛନ୍ତି ରକ୍ତହୀନତା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଗୁଜୁରାଟ, ବିହାର ଓ ଆସାମ ଆଦି ରାଜ୍ୟ ତୁଳନାରେ ଭଲ ଅଛି। ଜାତୀୟ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶା ମଧ୍ୟ ୫ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପୃଷ୍ଟି ସାଧନରେ ଆଖିଦଶିଆ ଅଗ୍ରଗତି ହାସଲ କରିପାରିଛି।

Leave a Reply

Your email address will not be published. Required fields are marked *

Back to top button