ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳ ବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି।
ଶନିବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବ୍ରଜଗୋପାଳ ଆଚାର୍ଯ୍ୟଙ୍କର ସାଧାରଣ ପ୍ରଶାସନ ବିଭାଗରେ ସିଡିଆଇ ଭାବେ ବଦଳି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ତୁଲାଉଥିବା ଗୃହ (ପ୍ରୋଟୋକଲ) ଅତିରିକ୍ତ ଦାୟିତ୍ୱକୁ ପ୍ରତ୍ୟାହାର କରି ନିଆଯାଇଛି। ବାଲେଶ୍ୱର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଡିଓ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ଓଏଏସ୍ ରାଜେନ୍ଦ୍ର କୁମାର ରଣଜିତଙ୍କୁ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଶ୍ୱରଞ୍ଜନ ନାୟକଙ୍କୁ ବାଲେଶ୍ୱର ଜିଲ୍ଲା ପରଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ପ୍ରଶାସନ), ରାଜେନ୍ଦ୍ର ମିଞ୍ଜଙ୍କୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଜୟଶ୍ରୀ ସେନାପତିଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ସବ୍ୟସାଚୀ ପଣ୍ଡାଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସାଧାରଣ ପରିଚାଳକ (ପ୍ରଶାସନ) ଓ ଶମ୍ଭୁ ଭୂଷଣ ମିଶ୍ରଙ୍କୁ ନବୀମୁମ୍ବାଇସ୍ଥିତ ଓଡ଼ିଶା ଭବନର ମ୍ୟାନେଜର ଭାବେ ବଦଳି କରାଯାଇଛି।
ସେହିପରି ସିନିୟର ଗ୍ରେଡକୁ ପଦୋନ୍ନତି ପାଇଥିବା ପ୍ରତିଭା ଆଚାର୍ଯ୍ୟଙ୍କୁ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଥିବାବେଳେ ଗୁଣମଣୀ ସୁନାନୀଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି। ଧରିତ୍ରୀ ମିଶ୍ରଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେ ଓସମା ଜେନେରାଲ ମ୍ୟାନେଜର ଦାୟିତ୍ୱ ଅତିରିକ୍ତ ତୁଲାଇବେ। ଏହାବ୍ୟତୀତ ମମତା ରାଣୀ ନାଏକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।