ଭିକ ମାଗ ପଛେ ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦିଅ : କୋର୍ଟ

ଚଣ୍ଡୀଗଡ଼ : ସ୍ୱାମୀ ଭିକ ମାଗୁପଛେ, ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ତାଙ୍କର ନୈତିକ ଓ ଆଇନଗତ ଦାୟିତ୍ୱ। ଚଣ୍ଡୀଗଡ଼ର ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଖବର ଅନୁଯାୟୀ ଏକ ମାମଲାର ଶୁଣାଣି କରି ଚରଖୀ-ଦାଦରୀ ଫ୍ୟାମିଲି କୋର୍ଟ ଜଣେ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ବାବଦ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ଦେବାକୁ କହିଥିଲେ। ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ୱାମୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି କହିଛନ୍ତି ସ୍ୱାମୀ ଭିକ ମାଗୁଥିଲେ ମଧ୍ୟ ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ଉଚିତ୍।

ଏହି ମାମଲାରେ ସ୍ୱାମୀଙ୍କ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଥିଲା ସେ ବହୁତ କମ୍ ଟଙ୍କା ରୋଜଗାର କରନ୍ତି। ଏପରି ପରିସ୍ଥିତିରେ ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ଅସମର୍ଥ। ସେ ଦର୍ଶାଇଥିଲେ ପତ୍ନୀଙ୍କ ପାଖରେ ରୋଜଗାର କରିବାର ମାଧ୍ୟମ ଥିଲେ ମଧ୍ୟ ସେ ଭରଣପୋଷଣ ଖର୍ଚ୍ଚ ଦାବି କରୁଛନ୍ତି। କୋର୍ଟ ଏସବୁ ପ୍ରତି ଧ୍ୟାନ ନଦେଇ ପତ୍ନୀଙ୍କ ସପକ୍ଷରେ ରାୟ ଦେଇଥିଲେ। ରାୟ ପ୍ରଦାନ ବେଳେ ହାଇକୋର୍ଟ କହିଛନ୍ତି ଆଜିର ଦିନରେ ଜଣେ ଦୈନିକ ମଜୁରୀ ପାଉଥିବା ବ୍ୟକ୍ତି ପ୍ରତିଦିନ ୫୦୦ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଭରଣପୋଷଣ ଖର୍ଚ୍ଚ ବାବଦରେ ମାସକୁ ୫ ହଜାର ଟଙ୍କା କିଛି ଅଧିକ ନୁହେଁ।

Leave a Reply

Your email address will not be published. Required fields are marked *

Back to top button