ମା’ ଋଣ ସୁଝିନପାରିବାରୁ ନାବାଳିକା ଝିଅକୁ ବାହାହେଲା କରଜଦାତା

ପାଟନା : ସାଧାରଣତଃ ଲୋକେ କହନ୍ତି ମା’ ଖାଇଥିଲା ତାଳ, ପିଲାକୁ ହେଲା କାଳ। ଏହାର ସତ୍ୟତା ବିହାରରେ ଦେଖିବାକୁ ମିଳିଛି। ମା’ କରଜ ଟଙ୍କା ସୁଝି ନପାରିବାରୁ ୧୧ବର୍ଷିୟା ଝିଅକୁ ବିବାହ କରିଛି ୪୦ବର୍ଷିୟ କରଜଦାତା।
ଖବର ଅନୁଯାୟୀ ବିହାରର ସିବାନରେ ଏଭଳି ଘଟଣା ଘଟିଛି। ଗାଁ ଲୋକେ କହୁଛନ୍ତି ନାବାଳିକାଙ୍କ ମା’ ଅଭିଯୁକ୍ତଙ୍କଠାରୁ ୨ଲକ୍ଷ ଟଙ୍କା କରଜ ଆଣିଥିଲେ। ଏହାକୁ ସୁଝିବାକୁ ଅସମର୍ଥ ହେବାରୁ ଅଭିଯୁକ୍ତଜଣକ ତାଙ୍କ ନାବାଳିକା ଝିଅକୁ ବିବାହ କରିଛନ୍ତି। ଏହି ବ୍ୟକ୍ତି ମୌରବା ପୋଲିସ ଷ୍ଟେସନ ଅଞ୍ଚଳର ଲକ୍ଷ୍ମୀପୁର ଗାଁର ବାସିନ୍ଦା। ଏବେ ସେ କରିଥିବା ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି।
ଅନ୍ୟପକ୍ଷରେ ନାବାଳିକାଙ୍କ ପରିଚୟ ସାମ୍ନାକୁ ଆସିନାହିଁ। କିନ୍ତୁ ଘଟଣା ସହ ଜଡ଼ିତ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିବା ଜଣାପଡ଼ିଛି। ବିବାହ କରିଥିବା ନାବାଳିକା କହିଛନ୍ତି- ମା’ କେତେ ଟଙ୍କା ଋଣ ନେଇଥିଲେ ଜାଣେନି। ଋଣ ଟଙ୍କା ନଦେଇପାରିବାରୁ ସେ ମୋତେ ଏଠାରେ ଛାଡ଼ି ଯାଇଛନ୍ତି। ସେହିପରି ତାଙ୍କ ମା’ କହିଛନ୍ତି ସେ ଆମ ସମ୍ପର୍କୀୟ। ଝିଅ ସହିତ ସବୁବେଳେ ସେଠାକୁ ଯିବାଆସିବା କରୁଥିଲି। ସେମାନେ ଝିଅକୁ ରଖି ପଢ଼ାଇବାକୁ କହିବାରୁ ମୁଁ ତାକୁ ସେଠାରେ ଛାଡ଼ିଛି। ବର୍ତ୍ତମାନ ମୋ ଝିଅକୁ ସେ ବିବାହ କରିଛନ୍ତି ବୋଲି ଶୁଣିବାକୁ ପାଇଛି। ତେଣୁ ମୁଁ ଚାହୁଛି ଝିଅ ମୋ ପାଖକୁ ଫେରି ଆସୁ।
ଆହୁରି ଜଣାପଡିଛି ଘଟଣାକୁ ନେଇ ଚର୍ଚ୍ଚା ହେବାରୁ ବିବାହ କରିଥିବା ବ୍ୟକ୍ତିଜଣକ କହିଛନ୍ତି ମୁଁ ଭୁଲ କରିଛି। ମୋତେ ଯାହା ଦଣ୍ଡ ମିଳିବ ସାମ୍ନା କରିବାକୁ ପ୍ରସ୍ତୁତ। ହେଲେ ଏହି ଘଟଣାକୁ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କୁହାଯାଇଛି।