ରାଜନୈତିକ ଦଳ ଦେଇନାହାନ୍ତି ୩୪% ପ୍ରାର୍ଥୀଙ୍କ ଅପରାଧ ବିବରଣୀ

ନୂଆଦିଲ୍ଲୀ : ୨୦୨୩ରେ ବିଭିନ୍ନ ବିଧାନସଭା ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୬୬ ପ୍ରତିଶତଙ୍କର ଅପରାଧିକ ମାମଲା ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଛି। କିନ୍ତୁ ୩୪ ପ୍ରତିଶତଙ୍କ ତଥ୍ୟ ରାଜନୈତିକ ଦଳ ଗୁଡିକ ଦେଇନାହାନ୍ତି। ଯାହାଫଳରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସଠିକ ଭାବେ ଅନୁପାଳନ ହୋଇନାହିଁ।

ଖବର ଅନୁଯାୟୀ ନିର୍ବାଚନରେ ଭାଗ ନେଉଥିବା ପ୍ରାର୍ଥୀମାନଙ୍କର ସବିଶେଷ ବିବରଣୀ ୱେବ୍‌ସାଇଟ୍‌ରେ ପ୍ରଦାନ କରିବାକୁ ରାଜନୈତିକ ଦଳଗୁଡ଼ିକ ପାଇଁ ନିୟମ ରହିଛି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁଯାୟୀ ୨୦୨୦ରୁ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ ନିମନ୍ତେ ନିର୍ବାଚନ କମିସନ ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ତେଣୁ ପ୍ରାର୍ଥୀମାନଙ୍କ ବିରୋଧରେ କେଉଁ ଅପରାଧିକ ମାମଲା କେଉଁ କୋର୍ଟରେ ବିଚାରାଧୀନ ରହିଛି। ଏହାର କେସ୍ ନମ୍ବର ଓ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରାଯାଇଛି କି ନାହିଁ ଆଦି ସମସ୍ତ ବିବରଣୀ ୱେବ୍‌ସାଇଟ୍‌ରେ ପ୍ରଦାନ କରିବାକୁ ଦଳଗୁଡ଼ିକ ବାଧ୍ୟ।

ଏହାବ୍ୟତୀତ ଦଳଗୁଡ଼ିକ ଏହା ମଧ୍ୟ ଲେଖିବେ ଅପରାଧ ପୃଷ୍ଠଭୂମି ଥିବା ଲୋକକୁ କାହିଁକି ପ୍ରାର୍ଥୀଭାବେ ବାଛିଛନ୍ତି। ଯେଉଁମାନଙ୍କ ନାମରେ କୌଣସି ଅପରାଧର ରେକର୍ଡ ବା ଅଭିଯୋଗ ନାହିଁ ସେମାନଙ୍କୁ କାହିଁକି ପ୍ରାର୍ଥୀ କଲେନାହିଁ। ଏହସବୁ ବିଷୟ ଦଳଗୁଡ଼ିକ କୌଣସି ସ୍ଥାନୀୟ ଆଞ୍ଚଳିକ ଭାଷାର ଖବରକାଗଜ ବା ଜାତୀୟ ଖବର କାଗଜରେ ପ୍ରକାଶ କରିବେ। ଫେସ୍‌ବୁକ୍ ଓ ଟ୍ଵିଟର ସମେତ ନିଜର ଅଫିସିଆଲ ସାମାଜିକ ଗଣମାଧ୍ୟମ ମଞ୍ଚରେ ତାହା ପ୍ରକାଶ କରିବେ ବୋଲି ନିର୍ବାଚନ କମିସନ ନିୟମ କରିଛନ୍ତି। ଏହି ନିୟମ ପାଳନ ନ କଲେ ଦଳଗୁଡ଼ିକ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅବମାନନା ମାମଲାରେ ପଡ଼ିବେ ବୋଲି ନିର୍ବାଚନ କମିସନ ଚେତାବନୀ ଦେଇଛନ୍ତି। ଏହି ନୋଟିସକୁ କୁହାଯାଉଛି ଫର୍ମାଟ ସି୭।

ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ ୨୦୨୩ରେ ବିଭିନ୍ନ ବିଧାନସଭା ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀମାନଙ୍କ ଏକ ତାଲିକା ବିଶ୍ଳେଷଣ କରିଛନ୍ତି। ଏଥିରୁ ଜଣାପଡ଼ିଛି ଅପରାଧିକ ମାମଲା ଥିବା ୬୬ ପ୍ରତିଶତ ପ୍ରାର୍ଥୀଙ୍କ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ୩୪ ପ୍ରତିଶତଙ୍କର ଦିଆଯାଇ ନାହିଁ। ଆହୁରି ଜଣାପଡ଼ିଛି ଗୁଜରାଟରେ ୮ଟି ଦଳର ୬୮୭ ଜଣ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୬୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରାଯାଇଥିଲେ ହେଁ ଫର୍ମାଟ ସି୭ ଅନୁଯାୟୀ ୧୪୧ ଜଣଙ୍କର ଅପରାଧ ରେକର୍ଡ ପ୍ରକାଶ କରାଯାଇଛି।

ସେହିପରି ହିମାଚଳପ୍ରଦେଶରେ ୮ଟି ଦଳର ୩୦୩ ପ୍ରାର୍ଥୀଙ୍କ ମଧ୍ୟରୁ ୭୭ ଜଣଙ୍କର ଆପରାଧିକ ମାମଲା ଥିବା ଘୋଷଣା କରାଯାଇଥିବା ବେଳେ ୩୧ ଜଣଙ୍କର ଫର୍ମାଟ ସି୭ ପ୍ରକାଶ କରାଯାଇଛି। ତ୍ରିପୁରାରେ ୫ଟି ଦଳର ୧୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣଙ୍କ ନାମରେ ମାମଲା ଥିବାବେଳେ ୧୪ ଜଣଙ୍କର ଫର୍ମାଟ ସି୭ ପ୍ରକାଶ କରାଯାଇଛି। ମେଘାଳୟରେ ୮ଟି ଦଳର ୩୦୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣଙ୍କ ନାମରେ ମାମଲା ଥିବା ବେଳେ ୧୪ ଜଣଙ୍କର ଫର୍ମାଟ ସି୭ ପ୍ରକାଶ କରାଯାଇଛି। ସେହିପରି ନାଗାଲାଣ୍ଡରେ ୫ଟି ଦଳର ୧୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ୪ ଜଣଙ୍କର ଫର୍ମାଟ ସି୭ ପ୍ରକାଶ କରାଯାଇଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button