ରୋହିତଙ୍କ ଆଇପିଏଲ୍ ଆୟ ୧୭୮ ଓ ଧୋନୀ ୧୭୬ କୋଟି
ନୂଆଦିଲ୍ଲୀ : ଆଇପିଏଲ୍ ଖେଳି ଖେଳାଳିମାନେ କୋଟିପତି। ଏହି ତାଲିକାରେ ରୋହିତ ଶର୍ମାଙ୍କ ଆୟ ୧୭୮ କୋଟି ହୋଇଥିବା ବେଳେ ଧୋନୀଙ୍କ ଆୟ ରହିଛି ୧୭୬ କୋଟି।
ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମା ୨୦୦୮ରୁ ୨୦୨୩ ଭିତରେ ଆଇପିଏଲରୁ ୧୭୮ କୋଟି ଟଙ୍କା ଆୟ କରିସାରିଲେଣି। ଯିଏକି ଆୟ କରିବା ତାଲିକାରେ ପ୍ରଥମ। ସେହିପରି ଦୁଇ ନମ୍ବରରେ ରହିଛନ୍ତି ଏମ୍ ଏସ୍ ଧୋନୀ। ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ଥିବା ଧୋନୀ ଏପର୍ଯ୍ୟନ୍ତ ଆଇପିଏଲରୁ ମୋଟ ୧୭୬ କୋଟି ଟଙ୍କା ଆୟ କରିସାରିଲେଣି। ପ୍ରଥମ ସିଜିନରେ ମାତ୍ର ୬ କୋଟି ଟଙ୍କାରେ ନିଲାମ ହୋଇଥିବା ଧୋନୀ ଏବେ ୧୨ କୋଟି ଟଙ୍କାରେ ଚେନ୍ନାଇ ସହ ରହିଛନ୍ତି। ୨୦୦୮ରୁ ୨୦୨୩ ଭିତରେ ସେ ଚେନ୍ନାଇ ସୁପର କିଙ୍ଗସଠାରୁ ମୋଟ ୧୭୬ କୋଟି ଟଙ୍କା ଆୟ କରିଛନ୍ତି।
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ମୋଟ ୧୭୩ କୋଟି ଟଙ୍କା ଆୟ କରିଛନ୍ତି। ଆରସିବିରି ଏହି ପୂର୍ବ ଅଧିନାୟକ ଆଇପିଏଲ୍ ଇତିହାସରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି। ଯେଉଁ କାରଣରୁ ଦୀର୍ଘ ଦିନ ଧରି ସେ ଆରସିବିରେ ରହିଛନ୍ତି। ଆଇପିଏଲ୍ ଆୟ ତାଲିକାରେ ତାଙ୍କର ସ୍ଥାନ ତୃତୀୟରେ ରହିଛି। କୋହଲିଙ୍କ ପରେ ସୁରେଶ ରାଇନା। ଚେନ୍ନାଇ ସୁପର କିଙ୍ଗସ ତରଫରୁ ମ୍ୟାଚ୍ ଖେଳୁଥିବା ଏହି ଖେଳାଳି ମୋଟ ୧୧୦ କୋଟି ଟଙ୍କା ଆୟ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଆଉ ଜଣେ ଖେଳାଳି ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ସୁଦ୍ଧା ଆଇପିଏଲରୁ ୧୦୯ କୋଟି ଟଙ୍କା ଆୟ କରିସାରିଲେଣି।
ସେହିପରି ଆଇପିଏଲ୍ ଆୟ ତାଲିକାର ଟପ୍ ଟେନ୍ ଭିତରେ କାରବିଆନ୍ ଖେଳାଳି ସୁନୀଲ ନାରିନଙ୍କ ସହିତ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଷ ଖେଳାଳି ଏବି ଡିଭିଲିୟର୍ସ ରହିଛନ୍ତି । ୟାଙ୍କ ବ୍ୟତୀତ ଭାରତୀୟ ଖେଳାଳି ଗୌତମ ଗମ୍ଭୀର, ଶିଖର ଧାୱନ୍ ଓ ଦିନେଶ କାର୍ତ୍ତିକ ଆଇପିଏଲରୁ ସବୁଠୁ ଅଧିକ ଆୟ କରିଥିବା ତାଲିକାରେ ରହିଛନ୍ତି । ସୁନୀଲ ନାରିନ୍ ୧୦୭ କୋଟି, ବି ଡିଭିଲିୟର୍ସ ୧୦୨ କୋଟି, ଗୌତମ ଗମ୍ଭୀର ୯୪ କୋଟି, ଶିଖର ଧାୱନ୍ ୯୧ କୋଟି ଓ ଦିନେଶ କାର୍ତିକଙ୍କ ଆୟ ରହିଛି ୮୬ କୋଟି ଟଙ୍କା।