୧୪ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ଵର : ରାଜ୍ୟର ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୨୦୧୮ ମସିହାରେ ଶୁଭାରମ୍ଭ ହୋଇଥିଲା। ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ସହିତ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ। ଏବେ ଆଉ ୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର।

ରବିବାର ସ୍ଥାନୀୟ ୟୁନିଟ-୧ ଆଦିବାସୀ ପଡିଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ସମ୍ପର୍କ ଅଛି। ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର। ମୁଖ୍ୟମନ୍ତ୍ରୀ କହିଲେ ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜନୀତି ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି। ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫିଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥଲେ।

ଏହି କାର୍ୟ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button