୧୦ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଛି ସିରିଜ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାରେ ୧୦ ଦିନ ଯାଏଁ ବର୍ଷିବ। ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରି କରିଛି।

ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ କହିଛନ୍ତି ବଙ୍ଗୋପସାଗରରେ ଏକାଧିକ ଘୂର୍ଣ୍ଣିବଳୟ ପଛକୁ ପଛ ଦେଖିବାକୁ ମିଳିବ। ଦକ୍ଷିଣ ଚୀନ ସାଗରରୁ ଏହି ଘୂର୍ଣ୍ଣିବଳୟ ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି। ବଙ୍ଗୋପସାଗରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ରହିଛି। ଏହାର ପ୍ରଭାବରେ ରବିବାରଠାରୁ ସେପ୍ଟେମ୍ବର ୨୩ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସେପ୍ଟେମ୍ବର ୨୦, ୨୧ ଓ ୨୨ରେ ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ସମ୍ବଲପୁର ଅଞ୍ଚଳରେ ବର୍ଷା ହେବ। ଏହାଛଡା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ବର ୨୫ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ୨୬ ତାରିଖରେ ଅବପାତର ରୂପ ନେବ। ୨୬ ଓ ୨୭ ତାରିଖରେ ଏହାର ପ୍ରଭାବ ଉପକୂଳ, ଉତ୍ତର ଓଡିଶା ଓ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖିବାକୁ ମିଳିବ। ସେପ୍ଟେମ୍ବର ୨୬ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେପ୍ଟେମ୍ବର ୨୮ ତାରିଖରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ଯାଏଁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Leave a Reply

Your email address will not be published. Required fields are marked *

Back to top button