ଭାଇବୋହୂ ଓ ଝିଆରୀକୁ କଟୁରୀରେ ଆକ୍ରମଣ
ସୁକିନ୍ଦା : ପାରିବାରିକ ଗଣ୍ଡଗୋଳକୁ ନେଇ ଭାଇବୋହୂ ଓ ଝିଆରୀକୁ କଟୁରୀରେ ଆକ୍ରମଣ। ଏ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି।
ଖବର ଅନୁଯାୟୀ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ସୁକିନ୍ଦା ଅଞ୍ଚଳର ଦିଲ୍ଲୀପ ମହାପାତ୍ର ପୁଅ ଗଣେଶଙ୍କୁ ଆକ୍ରମଣ କରିବା ପାଇଁ କଟୁରୀ ଧରି ଗୋଡାଉଥିଲେ। କିନ୍ତୁ ସାମ୍ନାରେ ପଡ଼ିଯାଇଥିଲେ ସାନଭାଇର ସ୍ତ୍ରୀ ଅମିତା ନାୟକ ଓ ଝିଆରୀ ଲକ୍ଷ୍ମୀପ୍ରିୟା। ସେ ସେମାନଙ୍କୁ ଆକ୍ରମଣ କରିଥିଲେ। ଗାଁ ଲୋକେ ଥାନାକୁ ଖବର ଦେଇ ଦିଲ୍ଲୀପକୁ କାବୁକରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦିଲ୍ଲୀପକୁ ଅଟକ ରଖିବା ସହିତ ରକ୍ତ ଭିଜା କଟୁରୀ ଜବତ କରିଛି। ଗାଁ ଲୋକେ ଗୁରୁତର ମା’ ଓ ଝିଅଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ ଦିଲ୍ଲୀପଙ୍କ ପତ୍ନୀ ଭାନୁମତୀଙ୍କର ଗତ ଜୁଲାଇ ମାସରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଦିଲ୍ଲୀପ ଓ ପୁଅ ଗଣେଶଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଦାଦା ଅନାମ ମହାପାତ୍ରଙ୍କ ଘରେ ଗଣେଶ ବସାଉଠା କରୁଥିବାରୁ ତାଙ୍କ ପରିବାର ଲୋକେ ଗଣେଶଙ୍କୁ କୁମନ୍ତ୍ରଣା ଦେଉଥିବା ସନ୍ଦେହ କରୁଥିରେ ଦିଲ୍ଲୀପ। ଏହାହିଁ କଳି ଓ ଗଣ୍ଡଗୋଳର ମୁଖ୍ୟ କାରଣ ବୋଲି କୁହାଯାଉଛି।