ଅପରାଜିତାଙ୍କ ଟାର୍ଗେଟରେ ୫-ଟି ସଚିବ

ଭୁବନେଶ୍ଵର : ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତ ଷଡ଼ଙ୍ଗୀ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉ ନାହାନ୍ତି। ତାଙ୍କ ସ୍ଥାନରେ ଜଣେ ସଚିବ ଯାଉଛନ୍ତି। ଆମେ ପ୍ରକ୍ସି ରୁଲ୍ କିମ୍ବା ରିମୋଟ କଂଟ୍ରୋଲ ସରକାର ଚାହୁଁନା।

ଖବର ଅନୁଯାୟୀ ଶ୍ରୀମତୀ ଷଡ଼ଙ୍ଗୀ ଶନିବାର ଖୋର୍ଦ୍ଧାରେ ଆୟୋଜିତ ବିଜେପି ବୁଥସ୍ତରୀୟ ବୈଠକରେ ଯୋଗଦେଇଥିଲେ। ସେ କହିଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ କୁଆଡ଼େ ଗଲେ ? ସ୍ଵାସ୍ଥ୍ୟ ସଚିବ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ କେଉଁଠି ? ହସ୍ପିଟାଲ ତଦାରଖ ହେଲେ ଓଡ଼ିଶାବାସୀ ଆଶା କରିବେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ସ୍ଵାସ୍ଥ୍ୟ ସଚିବ ହସ୍ପିଟାଲ ଯାଆନ୍ତୁ। ସ୍କୁଲ ହେଲେ ମୁଖ୍ୟମନ୍ତ୍ରୀ ନଚେତ ସଚିବ ଯାଆନ୍ତୁ। କିନ୍ତୁ ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ସମସ୍ତଙ୍କୁ ଅଣଦେଖା କରି କାମ କରୁଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଅପମାନ ସଦୃଶ ନୁହେଁ କି ?

ସେ କହିଲେ ଏପରି ହେବା ଦ୍ଵାରା ସାମ୍ବିଧାନିକ ପଦ ଓ ସମ୍ବିଧାନର ଅମର୍ଯ୍ୟାଦା ହେଉଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ଗସ୍ତରେ ଗଲେ କିଛି ହୁଅନ୍ତା ନାହିଁ। ନିର୍ବାଚିତ ପ୍ରତିନିଧି କେତେ ଲଜ୍ଜିତ ହେଉଛନ୍ତି। ପୁରୁଖା ନେତା ବାହାରକୁ ଆସି ସଚିବ ସ୍ତରର ସରକାରୀ କର୍ମଚାରୀଙ୍କ ନିନ୍ଦା କରୁନାହାନ୍ତି। ସେମାନେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି। ପ୍ରତିଦିନ ସେମାନଙ୍କୁ ଅପମାନିତ କରାଯାଉଛି। ଆଶ୍ଚର୍ଯ୍ୟର କଥା ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀରେ ସେ ବିଜେଡିର ସଦସ୍ୟଙ୍କୁ ସମ୍ବୋଧିତ କଲେ। କିଏ ଅଧିକାର ଦେଲା ? ମୁଁ କହିବି ଯଦି ହୁଳହୁଳି ଚନ୍ଦନ ଜିନ୍ଦାବାଦ ଦରକାର୍ ଆସନ୍ତୁ ସାମ୍ନାକୁ। ସରକାରୀ ଚାକିରି ଛାଡ଼ିକି ଆସନ୍ତୁ। ୨/୨.୫ ଲକ୍ଷ ଟଙ୍କାର ଦରମା ଛାଡିକି ଆସନ୍ତୁ। ମୁଖ୍ୟମନ୍ତ୍ରୀ ବୁଲିବା ପାଇଁ ଯଦି ଅସମର୍ଥ ତେବେ ଏହା ନିଶ୍ଚିତ ରାଜ୍ୟ ଶାସନ ତାଙ୍କ ନିୟନ୍ତ୍ରଣ ବାହାରେ ଅଛି।

ଅପରାଜିତା କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁଠି ଥିବେ ସେ ଦୁଃଖ ଅନୁଭବ କରୁଥିବେ। ସ୍ଵର୍ଗତ ବିଜୁବାବୁ ସ୍ଵାଭିମାନୀ ଲୋକ ଥିଲେ। ତାଙ୍କ ସାଥିରେ ଯେଉଁମାନେ ମିଶି ଏ ଦଳ ତିଆରି କରିଥିଲେ ସେମାନେ ସମସ୍ତେ ଦୁଃଖିତ। ଯାହାଙ୍କୁ ଜନତା ବାଛିଛନ୍ତି ସେମାନେ ସମସ୍ତେ ଗାୟବ। ସଚିବ ଓ ସରକାରୀ କର୍ମଚାରୀ ବୁଲି ବୁଲି ପ୍ରକଳ୍ପ ଘୋଷଣା କରୁଛନ୍ତି। ଆମେ ଚାହୁଁଛୁ ସେ ଆହୁରି ବୁଲନ୍ତୁ। ବୁଲିଲେ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିବ। କାରଣ ଓଡ଼ିଆମାନେ ମୂର୍ଖ ନୁହନ୍ତି, ନହେଲେ ଅସନ୍ତୋଷ ହୋଇ ନଥାନ୍ତା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button