ମଥୁରା-ବୃନ୍ଦାବନ : ମଦ ଓ ମାଂସ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ମଥୁରା ଓ ବୃନ୍ଦାବନର ୧୦ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ମାଂସ ଓ ମଦ ବିକ୍ରି ଉପରେ ଲାଗିଛି କଟକଣା। ଯେଉଁମାନେ ନିୟମ ନ ମାନି ମାଂସ ଦୋକାନ କରିବେ ବା ମଦ ବିକ୍ରି କରିବେ ସେମାନଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ।

ଖବର ଅନୁଯାୟୀ ତୀର୍ଥସ୍ଥଳୀ ଘୋଷିତ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନର ୨୨ଟି ୱାର୍ଡ ରହିଛି। ଯୋଗୀ ସରକାର ନିରନ୍ତର ତୀର୍ଥସ୍ଥଳୀର ବିକାଶ କରୁଛନ୍ତି। ଅଯୋଧ୍ୟା, ବାରାଣାସୀ ଓ ମଥୁରାରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଜନ୍ମାଷ୍ଟମୀ ଦିନ ମଥୁରା ଆସିଥିଲେ। ସେ କହିଥିଲେ ମଥୁରାର ବୃନ୍ଦାବନ, ଗୋବର୍ଦ୍ଧନ, ନନ୍ଦଗାଓଁ, ଗୋକୁଳ, ମହାବନ ଓ ବଳଦେବ ଅଞ୍ଚଳରେ ମାଂସ ଓ ମଦ ବିକ୍ରି ବନ୍ଦ ହୋଇଯିବ। ପୂର୍ବ ଘୋଷଣା ମୁତାବକ ଏହି ନିର୍ଦ୍ଦେଶ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ଯେଉଁମାନେ ମଦ ଦୋକାନ ବା ମାଂସ ଦୋକାନ କରିଥିଲେ ସେହି ବ୍ୟବସାୟୀଙ୍କୁ ଅନ୍ୟ ବୃତ୍ତିରେ ଥଇଥାନ କରାଯାଇଛି।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ ସରକାର ଗଠନ ହେବା ପରେ ଯୋଗୀ ତୀର୍ଥସ୍ଥଳୀ ଘୋଷଣା କରିବା ଆରମ୍ଭ କରିଥିଲେ। ଅକ୍ଟୋବର ୨୦୧୭ରେ ବୃନ୍ଦାବନ ଓ ରାଧାଙ୍କ ଜନ୍ମସ୍ଥାନ ବରସାନାକୁ ଧାର୍ମିକସ୍ଥଳୀ ଘୋଷଣା କରିଥିଲେ। ସାତୋଟି ସ୍ଥାନକୁ ମଧ୍ୟ ଧାର୍ମିକ ସ୍ଥାନ ଭାବରେ ଘୋଷଣା କରାଯିବ ବୋଲି କୁହାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button