ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍
ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି।
ଓଡ଼ିଶାରେ ହକି ଜୁନିୟର ବିଶ୍ୱକପ୍ ଆୟୋଜନ ହେବାର ସୂଚନା ଏହା ପୂର୍ବରୁ ମିଳିଥିଲା। ଆୟୋଜନ ପାଇଁ ଦୌଡ଼ରେ ଥିଲେ ଗୌହାଟୀ, ଓଡ଼ିଶା ଓ ଲକ୍ଷ୍ନୌ। ଏବେ ଓଡ଼ିଶାକୁ ମିଳିଛି ବିଶ୍ୱକପ୍ ଆୟୋଜନ ଦାୟିତ୍ୱ। ଏହା ପୂର୍ବରୁ ୨୦୧୮ରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ସିନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ ହୋଇସାରିଛି। ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲା। ଆଜି ଓଡ଼ିଶା ସରକାର ପୁଣିଥରେ ବିଶ୍ୱକପ୍ ଭଳି ମେଗା ଇଭେଣ୍ଟକ ଆୟୋଜନ କରିବାକୁ ରାଜି ହୋଇଥିଲେ। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।
ଉଭୟ ପୁରୁଷ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ଆୟୋଜନ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରୁ ଓହରିଯାଇଥିଲା। ଯାହା ପରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଅଂଶଗ୍ରହଣକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ଟିମ୍ କୋଭିଡ୍ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିପାରନ୍ତି। କିନ୍ତୁ ଏଯାଏ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି।



























