କୃଷକଙ୍କ କଥା ନଶୁଣିଲେ କ୍ଷମତାକୁ ଫେରି ପାରିବେନି : ରାଜ୍ୟପାଳ ସତ୍ୟପାଲ

ନୂଆଦିଲ୍ଲୀ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ ଜଣାଇଛନ୍ତି। ଆଉ କହିଛନ୍ତି ଯଦି କୃଷକଙ୍କ କଥା ଶୁଣାନଯାଏ ସରକାର ପୁନର୍ବାର କ୍ଷମତାକୁ ଆସି ପାରିବେ ନାହିଁ।
ରବିବାର ଝୁନଝୁନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମଲିକ କହିଛନ୍ତି ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଘଟଣା ଦିନ ଇସ୍ତଫା ଦେଇ ଦେବାର ଥିଲା। ଇସ୍ତଫା ନଦେଇ ସଂପୂର୍ଣ୍ଣ ଭୁଲ୍ କରିଛନ୍ତି। ତେଣୁ ସେ ମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ବୋଲି ଟିପ୍ପଣୀ କରିଛନ୍ତି ସତ୍ୟପାଲ। ସେ ଆହୁରି କହିଛନ୍ତି କହିଛନ୍ତି ଯେଉଁ ଦଳର ସରକାର ଥାଏ ସେମାନଙ୍କର ମିଜାଜ ଆକାଶରେ ପହଞ୍ଚିଯାଏ। କିନ୍ତୁ କୃଷକଙ୍କ କଥା ଶୁଣିବାକୁ ପଡିବ। ଯଦି ସେମାନଙ୍କ କଥା ନାଶୁଣାଯିବ ତେବେ ଏ ସରକାର ପୁନର୍ବାର କ୍ଷମତାକୁ ଫେରିବ ନାହିଁ। କୃଷକଙ୍କ ସହ ଅନ୍ୟାୟ ହେଉଛି। ସେମାନେ ଘରଦ୍ଵାର ଛାଡି ଫସଲ ବୁଣା ସମୟରେ ୧୦ ମାସ ଧରି ଦିଲ୍ଲୀରେ ପଡିରହିଛନ୍ତି। ସେମାନଙ୍କ କଥା ସରକାର ଶୁଣିବା ଉଚିତ୍।
ଯଦି ରାଜ୍ୟପାଳ ପଦ ଛାଡି କୃଷକଙ୍କ ସହିତ ଛିଡା ହେବା ପାଇଁ କୁହାଯାଏ ବୋଲି ପ୍ରଶ୍ନ ଉପରେ ସତ୍ୟପାଲ କହିଲେ ମୁଁ ସର୍ବଦା ସମର୍ଥନରେ ଛିଡା ହୋଇଛି। ଏଥିପାଇଁ ପଦ ଛାଡିବାର କୌଣସି ଆବଶ୍ୟକତା ନାହିଁ। ଯେବେ ଆବଶ୍ୟକ ପଡିବ ରାଜ୍ୟପାଳ ପଦ ଛାଡିଦେବି। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଝଗଡା କରି ସାରିଛି। ସମସ୍ତଙ୍କୁ କହିଛି ଯାହା କରୁଛନ୍ତି ଭୁଲ। ପ୍ରଧାନମନ୍ତ୍ରୀଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗ ହେଉ କିମ୍ବା କୃଷକ ପ୍ରସଙ୍ଗ ସବୁ ବିଷୟରେ ଆଲୋଚନା କରିବି ବୋଲି ସତ୍ୟପାଲ କହିଛନ୍ତି।