ଚାକିରି ନାଁରେ ଆଶାୟୀଙ୍କୁ ଠକିଥିବା ଦମ୍ପତ୍ତି ଗିରଫ

ଅନୁଗୋଳ : ଟାଟା ଗ୍ରୁପ୍‌ର ଏଜିଏମ୍‌ ଓ ଏଚ୍‌ଆର ବୋଲି ପରିଚୟ ଦେଇ ଚାକିରି କରାଇଦେବାକୁ କହି ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ଠକ ଦମ୍ପତ୍ତି। ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଠକିଥିବା ଅଭିଯୋଗ ହେବା ପରେ ଅନୁଗୋଳ ଏସ୍‌ପିଙ୍କ ତତ୍ତ୍ୱବଧାନରେ ଗଠିତ ଟିମ୍‌ ପଶ୍ଚିମବଙ୍ଗର ଦୁର୍ଗାପୁରରୁ ସେ ଦୁଇଜଣଙ୍କୁ ଗିରଫ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ରାଉରକେଲା ବାସିନ୍ଦା ହେଉଛନ୍ତି ଚୈତାଳୀ ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ଉତ୍ତରପ୍ରଦେଶ ଆଗ୍ରାର ମର୍ଗଙ୍କ ଗୁପ୍ତା ମିଥ୍ୟା ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ। ଚୈତାଳୀ ନିଜକୁ ଟାଟା ଗ୍ରୁପ୍‌ର ଏଚ୍‌ଆର୍‌ ଦୀପିକା ବାନାର୍ଜୀ ଓ ସ୍ୱାମୀ ଏଜିଏମ ଶିବ କୁମାର କହୁଥିଲେ। ଏହି ଠକ ଦମ୍ପତ୍ତିଙ୍କ ନାମରେ ୨୦୨୧ ଫେବ୍ରୁଆରୀରେ ଅନୁଗୋଳ ଜିଲ୍ଲାର କୋଲିୟାରୀ ଥାନାରେ ଅଭିଯୋଗ ହୋଇଥିଲା। ଏହାଛଡ଼ ନାଲକୋ ନଗର, ଅନୁଗୋଳ ଓ ତାଳଚେର ଥାନାରେ ୬ଟି ମାମଲା ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରି ସ୍ୱାମୀ-ସ୍ତ୍ରୀଙ୍କ କଳା କାରନାମାର ଗୁମର ଖୋଲିଥିଲା। ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିବା ପରେ ଶେଷରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚୈତାଳୀ ଓ ମର୍ଗଙ୍କଙ୍କୁ କରଫ କରିଛି।

ଓଡ଼ିଶା ବ୍ୟତୀତ ଜାମ୍ମୁ-କାଶ୍ମୀର, ପଶ୍ଚିବମଙ୍ଗ, ଛତିଶଗଡ଼, ଝାରଖଣ୍ଡ, ବିହାର ଓ ମହାରାଷ୍ଟ୍ର ଆଦି ରାଜ୍ୟର ହଜାରେରୁ ଅଧିକ ପିଲାଙ୍କଠାରୁ କୋଟିକୋଟି ଟଙ୍କା ଠକିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫୦ଜଣ ଚାକିରି ଆଶାୟୀଙ୍କଠାରୁ ପ୍ରାୟ ୨କୋଟି ଟଙ୍କା ଠକିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ତଦନ୍ତକାରୀ ଟିମ୍‌ ସ୍ୱାମୀ-ସ୍ତ୍ରୀଙ୍କ ଠାରୁ ଟାଟା ଷ୍ଟିଲ ଓ ଟାଟା ଗ୍ରୁପ୍‌ର ଫେକ୍‌ ଷ୍ଟାମ୍ପ, ଫେକ୍‌ ସିଲ, ଫେକ୍‌ ଆଇଡି କାର୍ଡ, ଫେକ୍‌ ମ୍ୟାନେଜମେଣ୍ଟ ଚାକିରି ଦରଖାସ୍ତ ଫର୍ମ, ୧୮ଟି କ୍ରେଡିଟ୍‌ ଓ ସପିଙ୍ଗ କାର୍ଡ, ନଗଦ ୩ ଲକ୍ଷ ୯୭ହଜାର ଟଙ୍କା, ଗୋଟିଏ କାର, ୭ଟି ମୋବାଇଲ ଫୋନ,୨ଟି ଲାପଟପ୍‌ ଓ ୨ଟି ହାର୍ଡ ଡିସ୍କ ସହ ଅନ୍ୟାନ୍ୟ ଠକାମୀରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button