୪ ଜଣଙ୍କୁ ହତ୍ୟା କରି ସର୍ବସମ୍ମୁଖରେ ଟାଙ୍ଗିଲା ତାଲିବାନ

କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଅପହରଣରେ ସମ୍ପୃକ୍ତ ୪ ଜଣଙ୍କୁ ଏନକାଉଣ୍ଟର କରି ସେମାନଙ୍କ ମୃତଦେହକୁ କ୍ରେନ ଦ୍ୱାରା ସର୍ବସମ୍ମୁଖରେ ଝୁଲାଇ ଦେଇଛି।

ଟୋଲୋ ନ୍ୟୁଜିର ରିପୋର୍ଟ ଅନୁଯାୟୀ ହେରାତ୍‌ର ୧୨ପିଡି ସ୍ଥିତି ଗୋଟିଏ ତେଲ ଦୋକାନରୁ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ କିଛିଦିନ ତଳେ ଅପହରଣ କରାଯାଇଥିଲା। ତାଲିବାନ ସେମାନଙ୍କୁ ମୁକୁଳାଇବାକୁ ଚେଷ୍ଟା କରିବା ସମୟରେ ଜୋରଦାର ଲଢ଼େଇ ହୋଇଥିଲା। ଏହି ଗୁଳି ବିନିମୟରେ ୪ ଅପହରଣକାରୀ ମୃତ୍ୟୁବରଣ କରିଥିଲେ। ପରେ ସେମାନଙ୍କ ଶବକୁ ଗାଡ଼ିରେ ଆଣି ବିଭିନ୍ନ ଛକରେ ଜଣଙ୍କ ପରେ ଜଣଙ୍କ ଶବକୁ କ୍ରେନ ଦ୍ୱାରା ସର୍ବସମ୍ମୁଖରେ ଟାଙ୍ଗି ପ୍ରଦର୍ଶନ କରିଥିଲା।

ଆଗକୁ ହେରାତରେ ଯେମିତି କେହି ଅପହରଣ ଉଦ୍ୟମ ନ କରିବେ ସେଥିପାଇଁ ତାଲିବାନ ଏପରି କରିଛି। ହେରାତବାସୀ ଅପହରଣ ଜନିତ ଅପରାଧକୁ ରୋକିବାକୁ ନିବେଦନ କରିଥିବା ବେଳେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି ତାଲିବାନ। ତାଲିବାନ ସଦସ୍ୟ ମୁଜାହିର କହିଛନ୍ତି ହେରାତରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଶନିବାର ସକାଳେ ଅପହରଣ କରାଯାଇଥିବା ଖବର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଆମେ ପୂରା ସହରର ରାସ୍ତାକୁ ବନ୍ଦ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲୁ। ଏହି ସମୟରେ ଗୋଟିଏ ଚେକପୋଷ୍ଟ ନିକଟରେ ୪ ଜଣ ଅପହରଣକାରୀଙ୍କୁ ପାଇଥିଲୁ। ସେମାନେ ଆମ ଉପରକୁ ଗୁଳି ଚଳାଇବାରୁ ତାଲିବାନ ଫୋର୍ସ ପାଲଟା ଜବାବ ଦେଇଥିଲେ। ଗୁଳି ବିନିମୟରେ ଆମର ଜଣେ ମୁଜାହିଦନ ଆହତ ହୋଇଥିବା ବେଳେ ୪ ଅପହରଣକାରୀ ନିହତ ହୋଇଥିଲେ। ଆମେ ଇସଲାମିକ ଏମିରେତ। କେହି ଆମ ଦେଶକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ କିମ୍ବା ଅପହରଣ କରିପାରିବେ ନାହିଁ। ଶନିବାର ଘଟଣା ପୂର୍ବରୁ ଅନେକ ଅପହରଣ ଘଟଣା ସହରରେ ଘଟିଥିଲା। ତାଲିବାନ ଜଣେ ଛୋଟ ପିଲାଙ୍କୁ ଅପହରଣ କରାଯିବା ବେଳେ ରକ୍ଷା ମଧ୍ୟ କରିଥିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button