ଶିକ୍ଷୟିତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅନଲାଇନ ସାଙ୍ଗ
ଅହମ୍ମଦାବାଦ : ଅହମ୍ମଦାବାଦରେ ଗତ ସୋମବାର ଦୁଇଟି ଦୁଷ୍କର୍ମ ଘଟଣା ଘଟିଛି। ଘାଟଲୋଡିଆର ୪୦ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଅନଲାଇନ୍ ବନ୍ଧୁଙ୍କ ଦ୍ୱାରା ଅପହରଣ ଓ ଦୁଷ୍କର୍ମର ଶିକାର ହୋଇଛନ୍ତି। ସେହିପରି ରାନିପରେ ଜଣେ ୨୦ ବର୍ଷୀୟା ମହିଳା ସ୍ୱାମୀଙ୍କ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଖବର ଅନୁଯାୟୀ ଘାଟଲୋଡିଆ ପୋଲିସରେ ପୀଡିତା ଅଭିଯୋଗ କରିଛନ୍ତି ସେ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟତ୍ରୀ। ସେ ରୁପେଶ ପଟେଲ ନାମକ ୩୩ବର୍ଷର ଜଣେ ଯୁବକର ଯୋଗାଯୋଗରେ ଆସିଥିଲେ। ଫେସବୁକ୍ ମାଧ୍ୟମରେ ରୁପେଶ ପଟେଲ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ପ୍ରଥମେ ସେମାନେ ଫୋନ୍ ନମ୍ବର ଦିଆନିଆ ଓ ପରେ ଚାଟିଂ ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ରୁପେଶ ମହିଳାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା କିନ୍ତୁ ସେ ମନା କରି ଦେଇଥିଲେ। ତେଣୁ ରୁପେଶ ବାହାନା କରି ମହିଳାଙ୍କୁ ଭେଟିବାକୁ କହିଥିଲା। ଏଥିରେ ସେ ରାଜି ହେବାରୁ ରୁପେଶ ତାଙ୍କୁ ଅପହରଣ କରି ଭସତ୍ରାଲର ଏକ ବ୍ୟବସାୟିକ କମ୍ପ୍ଲେକ୍ସକୁ ନେଇ ଦୁଷ୍କର୍ମ କରିବା ପରେ ତାଙ୍କୁ ତାଙ୍କ ଘର ନିକଟରେ ଛାଡି ଦେଇଥିଲା। ଘାଟଲୋଡିଆ ପୋଲିସ ଅଭିଯୁକ୍ତକୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଛି।
ସେହିପରି ଦ୍ୱିତୀୟ ମାମଲାରେ ପୀଡିତା କହିଛନ୍ତି ତାଙ୍କ ସ୍ୱାମୀ ଏଏମସି ପାଇଁ ଅଳିଆ ସଂଗ୍ରହ ଗାଡି ଚଲାନ୍ତି। ସ୍ୱାମୀଙ୍କ ସୁପରଭାଇଜର ରାମୁ ମୁନିୟା ତାଙ୍କ ମହିଳା ବନ୍ଧୁ ସୁମିତ୍ରା ଭବୋରଙ୍କ ସାହାଯ୍ୟରେ ସେପ୍ଟେମ୍ବର ୧୧ରେ ତାଙ୍କୁ ଦୁଷ୍କର୍ମ କରିଥିଲା।


























