ଭତ୍ତା ପାଇଁ ଯାଇ ଚେତା ହରାଇଲେ ବୃଦ୍ଧ

ବଲାଙ୍ଗିର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚାରିଆଡେ ଅଗ୍ନି ବର୍ଷା। ଏଭଳି ପରିସ୍ଥିତିରେ ଭତ୍ତା ଟଙ୍କା ବ୍ୟାଙ୍କ ଯାଉଥିବା ବୃଦ୍ଧ ଓ ବୃଦ୍ଧାଙ୍କର ଦୁଃଖ ବଳିପଡିଛି। ବ୍ୟାଙ୍କ ନଗଲେ ଟଙ୍କା ମିଳୁନି। କେତେବେଳେ ନିରାଶ ହୋଇ ଫେରିବାକୁ ପଡୁଛି। ବ୍ୟାଙ୍କରେ ଶୁଣିବାକୁ ମିଳୁଛି ଖାତାକୁ ଟଙ୍କା ଆସିନି। ଏହି କେବଳ ଗୋଟିଏ ଅଞ୍ଚଳର ସମସ୍ୟା ନୁହେଁ। ସାରା ରାଜ୍ୟରେ ଏପରି ଅଭିଯୋଗ ରହିଛି। ଯାହାକୁ ଗୁରୁତ୍ଵ ଦିଆଯାଉନଥିବା ବେଳେ ବୃଦ୍ଧ ଓ ବୃଦ୍ଧାଙ୍କ ଦୁଃଖ କାହାରିକୁ ଦିଶୁନି। ଫଳରେ ଅଘଟଣ ଘଟିଲେ ଚର୍ଚ୍ଚା ହେଉଛି। ସେହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କୁଦୋଭଟା ଗାଁରେ ଘଟିଛି। ଭତ୍ତା ଟଙ୍କା ପାଇଁ ଯାଇଥିବା ବୃଦ୍ଧ ରାଜାରାମ ହାତୀ ପ୍ରଚଣ୍ଡ ଖରାର ପ୍ରକୋପ ସହିନପାରି ବାଟରେ ଅଚେତ ହୋଇ ପଡ଼ିଗଲେ।
ଖବର ଅନୁଯାୟୀ ଗତକାଲି ସକାଳେ ରାଜାରାମ ପତ୍ନୀ ଉରା ହାତୀଙ୍କ ସହ ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡ଼ା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ। ଫେରିବା ବେଳେ ଖରାର ପ୍ରକୋପ ସହିନପାରି କୁଦୋଭଟା-ପଦମପୁର ରାସ୍ତାରେ ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ରାଜାରାମଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।