ବିଜେପି ବିଧାୟକ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବେ

ଭୁବନେଶ୍ଵର : ବିଜେପି ବିଧାୟକ ଦଳ ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ। ଆଜି ସମ୍ବଲପୁରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ନାଉରୀ ନାଏକ। ନୂଆଖାଇ ସମୟରେ ବାଚସ୍ପତି ନିର୍ବାଚନ କରାଯାଉଥିବାରୁ ବିଜେପି ବିଧାୟକ ଦଳ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଖବର ଅନୁଯାୟୀ ବିଧାୟକ ନାଉରୀ ନାଏକ କହିଛନ୍ତି ଆସନ୍ତା ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହି ତାରିଖ ଘୋଷଣା ହେବା ପରେ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ତଥା ବିଭିନ୍ନ ଫୋରମରୁ ବିରୋଧ କରାଯାଇଥିଲା। କାରଣ ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡୁଛି। ଏହିଦିନ ଆମେ ନୂଆ ଖାଇଲେ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ ତା’ର ପ୍ରଭାବ ରହିବ। ନୂଆଖାଇ ବେଳେ ପରିବାରର ସଦସ୍ୟମାନେ ଦୂରଦୂରାନ୍ତରୁ ଆସି ଏକାଠି ହୋଇଥାଆନ୍ତି। ନୂଆଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମଗୁଡ଼ିକ ରହିଥାଏ। ନୂଆଖାଇ ପୂର୍ବରୁ ଓ ପରେ ତିନି ଚାରିଦିନ ପର୍ଯ୍ୟନ୍ତ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ରହେ। କିନ୍ତୁ ସରକାର ଏହାକୁ ଆଦୌ ବିଚାରକୁ ନନେଇ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ରଖିଛନ୍ତି। ତେଣୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ୨୧ ତାରିଖ ବାଚସ୍ପତି ନିର୍ବାଚନକୁ ବିଜେପି ବିଧାୟକ ଦଳ ପକ୍ଷରୁ ବୟକଟ କରାଯିବ ‍‍ବୋଲି ଶ୍ରୀ ନାଏକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button