ନରୱେ ଦୂତାବାସକୁ ଦଖଲକୁ ନେଲା ତାଲିବାନ

କାବୁଲ : କାବୁଲର ଏକାଧିକ ସ୍ଥାନରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ତାଲିବାନ ବିରୋଧରେ ବିକ୍ଷୋଭ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ମହିଳାଙ୍କ ଠାରୁ ଆରମ୍ଭ କରି ଶତାଧିକ ଲୋକ। ସେମାନଙ୍କୁ ଦମନ କରିବାକୁ ତାଲିବାନ ପୂର୍ବରୁ ବନ୍ଧୁକର ବ୍ୟବହାର କରି ସମାଲୋଚନା ଶିକାର ହୋଇଥିଲା। ଯେମିତି ବିଶ୍ୱ ପାଖରେ ପହଞ୍ଚିବନି ଓ ଲୋକଙ୍କ ଭିଡ଼କୁ ହ୍ରାସ କରାଯାଇ ପାରିବ ସେଥିପାଇଁ ଏବେ ଇଣ୍ଟରନେଟ ସେବା ବନ୍ଦ କରିଛି। ଆନ୍ଦୋଳନର ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ଅପହରଣ କରି ମାରୁଛି ମାଡ଼।

କେବଳ ସେତିକି ନୁହେଁ ଗୁରୁବାର ବନ୍ଧୁକଧାରୀ ତାଲିବାନୀମାନେ ନରୱେ ଦୂତାବାସକୁ କବଜା କରିଛନ୍ତି। ସେଠାରେ ଥିବା ୱାଇନ ବୋତଲ ଓ ପିଲାମାନଙ୍କ ପାଠପଢ଼ା ବହିକୁ ନଷ୍ଟ କରି ଦେଇଥିବା ବେଳେ ଦୂତାବାସ ଭିତରେ ଫଟୋ ଉଠାଇଛନ୍ତି। ଇରାନରେ ଅବସ୍ଥାପିତ ନରୱେର ରାଷ୍ଟ୍ରଦୂତ ସିଗଭାଲଦ ହଗ୍‌ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ତାଲିବାନ ଏବେ ନରୱେ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେଇ ପରବର୍ତ୍ତୀ ସମୟରେ ଆମକୁ ଫେରାଇବେ ବୋଲି କହିଛନ୍ତି। କିନ୍ତୁ ସେମାନେ ପ୍ରଥମେ ଏଠାରେ ଥିବା ୱାଇନ ବୋତଲକୁ ଭାଙ୍ଗି ଦେଇଛନ୍ତି। ପିଲାମାନଙ୍କ ବହିଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ସେମାନଙ୍କ ଏପରି କାମ ବନ୍ଧୁକ ଚାଳନା ଠାରୁ ମଧ୍ୟ ଅଧିକ ଭୟଙ୍କର।

ତାଲିବାନ କହିଥିଲା ସଂଗଠନ କେବେ ହେଲେ ବିଦେଶୀ ରାଷ୍ଟ୍ରର ଦୂତାବାସ ସମେତ କୌଣସି କାର୍ଯ୍ୟାଳୟ ଉପରେ କବଜା କରିବ ନାହିଁ। ବରଂ ଏଗୁଡ଼ୁକୁ ତାଲିବାନ ପକ୍ଷରୁ ସୁରକ୍ଷା ଦିଆଯିବ। ହେଲେ ଏବେ ନରୱେ ଦୂତାବାସକୁ ଦଖଲ କରି ନିଜର ଅସଲ ଚରିତ୍ର ସମସ୍ତଙ୍କୁ ଦେଖାଇଛନ୍ତି। ସୂଚନାଯୋଗ୍ୟ କାବୁଲକୁ ତାଲିବାନ ଦଖଲ କରିବା ପରେ ନରୱେ ଓ ଡେନମାର୍କ ଏଠାରେ ଥିବା ଦୂତାବାସକୁ ବନ୍ଦ କରିବାକୁ ଘୋଷଣା କରିବା ସହିତ ନିଜର କର୍ମଚାରୀମାନଙ୍କୁ ଏୟାରଲିଫ୍ଟ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button