ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋର୍ଡ ଲାଗୁ ହେଉ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଡ୍ରେସ୍‌ କୋର୍ଡ ଲାଗୁ ହେଉ। ଜିନ୍ସ ପ୍ୟାଣ୍ଟ, ହାପ୍ ପ୍ୟାଣ୍ଟ ଓ ଟି-ସର୍ଟ ପରି ଆଧୁନିକ ପୋଷାକ ପିନ୍ଧିଥିଲେ ଦର୍ଶନ ପାଇଁ ଅନୁମତି ନମିଳୁ। ଦଇତାପତି ନିଯୋଗ ଏହି ଦାବି କରିଛି।

ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅଧିକାଂଶ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି। ଯାହା ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି। ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମ୍‌ରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ। ନିଯୋଗର ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ଜଣେ ବରିଷ୍ଠ ସେବାୟତ। ସେ କହିଛନ୍ତି ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିର ସହ ଦେଶର ପ୍ରମୁଖ ଧାର୍ମିକ ସ୍ଥଳରେ ଡ୍ରେସକୋଡ୍ ବ୍ୟବସ୍ଥା ରହିଛି। ତେଣୁ ଶ୍ରୀମନ୍ଦିରରେ ଏହାକୁ କାର୍ଯ୍ୟକାରୀ କରାଯାଉ। ଦର୍ଶନ ପାଇଁ ଆସୁଥିବା ମହିଳାମାନଙ୍କ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ। ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ପିନ୍ଧିବାକୁ ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ କହିଛନ୍ତି ଡ୍ରେସକୋଡ୍ ଲାଗୁ ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ବିଚାରଧାର ଭିତରେ ରହିଛି। କିନ୍ତୁ ଏଥିପାଇଁ ମନ୍ଦିର ପରିଚାଳନା କମିଟି, ସେବାୟତ ନିଯୋଗ ଓ ପ୍ରଶାସନର ସହମତି ଆସିଲେ ଯାଇ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ। ଅନ୍ୟପକ୍ଷରେ ୨୦୨୧ ଅକ୍ଟୋବର ୨୦ ତାରିଖରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ହୋଇଛି। ଧୋତି, ଗାମୁଛା ଓ ପାଟ ପିନ୍ଧିନଥିଲେ ସେବାୟତଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନି ବୋଲି ନିୟମ ହୋଇଥିଲେ ହେଁ ଏଯାଏଁ କଡ଼ାକଡ଼ି ପାଳନ ହେଉନାହିଁ।

Leave a Reply

Your email address will not be published. Required fields are marked *

Back to top button