ବିଜ୍ଞାପନକୁ ନେଇ ମହାରାଷ୍ଟ୍ରରେ ବିବାଦ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଦ୍ଵାରା ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ଶିବ‌ସେନା-ବିଜେପି ମେଣ୍ଟରେ ବିବାଦ ବଢ଼ିଛି। ଏହି ବିଜ୍ଞାପନର କ୍ୟାଚ୍‌ଲାଇନ ରହିଛି ‘ମୋଦୀ ଇନ୍‌ ରାଷ୍ଟ୍ର, ସିନ୍ଦେ ଇନ୍‌ ମହାରାଷ୍ଟ୍ର’ ଅର୍ଥାତ ରାଷ୍ଟ୍ରରେ ମୋଦୀ ଓ ମହାରାଷ୍ଟ୍ରରେ ସିନ୍ଦେ। ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଏହି ବିଜ୍ଞାପନରୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଥିବାରୁ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।

କେବଳ ସେତିକି ନୁହେଁ ବିଜ୍ଞାପନରେ ଦର୍ଶାଯାଇଛି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କଠାରୁ ଏକନାଥ ସିନ୍ଦେଙ୍କର ଲୋକପ୍ରିୟତା ଅଧିକ। ଏକ ଘରୋଇ ଚ୍ୟାନେଲ୍‌ ଓ ଆଡ୍‌ ଏଜେନ୍ସିର ଦ୍ଵାରା କରାଯାଇଥିବା ମିଳିତ ସ‌ର୍ଭେରୁ ଏହା ଜଣାପଡ଼ିଛି। ସର୍ଭେ ଅନୁଯାୟୀ ଏକନାଥ ସିନ୍ଦେଙ୍କୁ ୨୬.୧ ପ୍ରତିଶତ ଓ ୨୩.୨ ପ୍ରତିଶତ ଲୋକ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ବିଜେପି ପ୍ରତି ୩୦.୨ ପ୍ରତିଶତ ଓ ସିନ୍ଦେ ସେନା ପ୍ରତି ୧୬.୨ ପ୍ରତିଶତ ଲୋକଙ୍କର ସମର୍ଥନ ରହିଛି। ଉଭୟ ବିଜେପି ଓ ଶିବସେନା ମେଣ୍ଟ ପ୍ରତି ୪୬ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏକନାଥ ସିନ୍ଦେଙ୍କ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପ ଯୋଗୁଁ ସିନ୍ଦେ-ବିଜେପି ସରକାରର ଲୋକପ୍ରିୟତା ବଢ଼ିଛି।

ଅନ୍ୟପକ୍ଷରେ ଏହି ବିଜ୍ଞାପନକୁ ନେଇ ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି)ର ସାଂସଦ ସଂଜୟ ରାଉତ ସରକାର ଉପରେ ବର୍ଷିଛନ୍ତି। ଏକ ଟ୍ଵିଟ୍‌ କରି ସେ କହିଛନ୍ତି ସିନ୍ଦେ ସରକାର ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏତେ ଭୟ କରୁଛନ୍ତି ଯେ ବାଲାସାହେବ ଠାକ୍‌ରେଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। କୋଟି କୋଟି ଟଙ୍କା ବିନିମୟରେ ଏହି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କୁ ଏଥିରେ ରଖିବାକୁ ଚାହିଁନାହାନ୍ତି। ସେହିପରି ଜଣେ ଏନ୍‌ସିପି ନେତା କହିଛନ୍ତି ‌ଯେଉଁମାନେ ‘ରାଷ୍ଟ୍ର ମେଁ ନରେନ୍ଦ୍ର ଔର ରାଜ୍ୟ ମେଁ ଦେବେନ୍ଦ୍ର’ ସ୍ଲୋଗାନ୍‌ ଦେଉଥିଲେ ସେମାନେ ଏବେ ଦେବେନ୍ଦ୍ର ଫଡ଼ନାବିସଙ୍କ ବଦଳରେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିନେଇଛନ୍ତି। ଇତିମଧ୍ୟରେ ସିନ୍ଦେ ସେନାର ମୁଖପାତ୍ର ଦୀପକ କେସରକର ସ୍ପଷ୍ଟୀକରଣ ଦେଇ କହିଛନ୍ତି ମେଣ୍ଟରେ କୌଣସି ଭୁଲ୍‌ ବୁଝାମଣା ନାହିଁ। ଆମେ ବିଜ୍ଞାପନ ସଂକ୍ରାନ୍ତରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ କଥା ହୋଇଛୁ। ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏକାଠି କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button