ପିପିଲି ଭୋଟ : କୋଭିଡ୍ ଲକ୍ଷଣ ଥିଲେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍‌। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଯେଉଁ ଭୋଟରଙ୍କର କୋଭିଡ୍ ଲକ୍ଷଣ ଥିବ ସେମାନଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସେ କହିଛନ୍ତି ଆଜିଠାରୁ ବୁଥ୍‌ ଗୁଡ଼ିକୁ ପୋଲିଂ ପାର୍ଟି ପଠାଯାଉଛି। ୩୪୮ଟି ପୋଲିଂ ପାର୍ଟି ମଧ୍ୟରୁ ୨୦୦ଟିକୁ ସେମାନଙ୍କ ବୁଥ୍‌କୁ ପଠାଯାଇ ସାରିଲାଣି। ମୋଟ ୧୪୯୦ ଜଣ କର୍ମଚାରୀଙ୍କୁ ପୋଲିଂ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ବୁଥ୍‌ ବାହାରେ ରହି କୋଭିଡ୍ ନିୟମ ଅନୁସାରେ ସବୁ ପ୍ରସ୍ତୁତି କରିବେ। ସେ କହିଲେ ଏହି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ୨ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ବିଏସ୍‌ଏଫ୍‌ ୩ଟି କମ୍ପାନୀ ରହିଥିବା ବେଳେ ପୋଲିସ କର୍ମଚାରୀଙ୍କ ନେତୃତ୍ୱ ଏସ୍‌ପି ନେଉଛନ୍ତି। ୩ ଜଣ ଅତିରିକ୍ତ ଏସ୍‌ପି ଓ ୭ ଜଣ ଡିଏସ୍‌ପି ତାଙ୍କୁ ସହଯୋଗ କରୁଛନ୍ତି।

ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ମତଦାନ ବେଳେ ଯେପରି କିଛି ଗଡ଼ବଡ଼ ନହୁଏ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଏହିଭଳି ପ୍ରତ୍ୟେକ ବୁଥ୍‌ରେ ଜଣେ ମାଇକ୍ରୋ ଓବ୍‌ଜରଭର, କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ, ୱେବ୍‌କାଷ୍ଟିଂ କିମ୍ବା ଭିଡିଓ ରେକର୍ଡିଂ ମଧ୍ୟରୁ ଗୋଟିଏ ବ୍ୟବସ୍ଥା କରାଯିବ। ଏହି ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ପୋଲିଂ ପାର୍ଟି, ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍‌ ଡୋଜ୍ ନେଇଛନ୍ତି। ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍ ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବ। ତା’ସହିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।

ମତଦାନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋବ୍‌ସ ଓ ମାସ୍କ ଦିଆଯିବାର ବ୍ୟବସ୍ଥା ହୋଇଛି। ସେହିଭଳି ସେମାନଙ୍କ ଶରୀରର ତାପମାତ୍ରା ବି ମପାଯିବ। କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡ୍‌ରେ ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେମାନଙ୍କୁ ଏକ ଚିରକୁଟ୍‌ ଦେଇ ଘରକୁ ପଠାଇ ଦିଆଯିବ। ସେମାନେ ଭୋଟ୍ ଗ୍ରହଣର ଅନ୍ତିମ ୧ ଘଣ୍ଟାରେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବୁଥ୍‌ରେ କୋଭିଡ୍ ନୋଡାଲ୍ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣତଃ ଆଶା କର୍ମୀ ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଥ୍ ଗୁଡ଼ିକରେ କୋଭିଡ୍‌ର ସବୁ ପ୍ରୋଟୋକଲକୁ ଅନୁସରଣ କରାଯାଉଛି ନାହିଁ, ତାହା ସେମାନେ ତଦାରଖ କରିବା ସହିତ ଏଥିରେ ସହଯୋଗ କରିବେ।

Leave a Reply

Your email address will not be published. Required fields are marked *

Back to top button