ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମା’ ଆଗରେ ପୁଅ ଭାସିଗଲା
ରାୟଗଡା : ରାୟଗଡ଼ା ଜିଲ୍ଲାରେ ଘଟିଛି ହୃଦୟବିଦାରକ ଘଟଣା। ମା’ ଆଗରେ ଭାସିଗଲା ପୁଅ। ଅଗ୍ନିଶମ କର୍ମଚାରୀମାନେ ପ୍ରୟାସ ଚଳାଇଥିଲେ ହେଁ ଭାସି ଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇପାରିନି।
ଖବର ଅନୁଯାୟୀ ମାଙ୍କଡ଼ ଝୋଲା ଗାଁର ଶ୍ରୀନିବାସ ଅଶୋକ କୁମାର ନିଜ ଘରେ ମଙ୍ଗଳବାର ଗଣେଶ ପୂଜା ଆୟୋଜନ କରିଥିଲେ। ଆଜି ଅପରାହ୍ନରେ ଶ୍ରୀନିବାସ ଓ ତାଙ୍କ ମାଆ ମୂର୍ତ୍ତି ବିସର୍ଜନ ପାଇଁ ନାଗାବଳୀ ନଦୀକୁ ଯାଇଥିଲେ। ମା’ କୂଳରେ ଛିଡ଼ା ହୋଇଥିବା ବେଳେ ଶ୍ରୀନିବାସ ପାଣିରେ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପୁଅକୁ ଉଦ୍ଧାର କରିବା ପାଇଁ ମା’ ଚିତ୍କାର କରିଥିଲେ ହେଁ ମାତ୍ର ନଦୀକୁ ଯିବାପାଇଁ କେହି ସାହସ କରିନଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଖୋଜିବା ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନଥିବା ଜଣାପଡିଛି।