ସୁପ୍ରିମକୋର୍ଟଙ୍କ ରାୟ ଭାରତର ଏକତାକୁ ମଜବୁତ କରିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ସେ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ। ଖୁସିବ୍ୟକ୍ତ କରିବା ସହ ଜମ୍ମୁ କଶ୍ମୀର ଓ ଲଦାଖରେ ଥିବା ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି କହିଛନ୍ତି।
ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟ କରି କହିଛନ୍ତି ଧାରା ୩୭୦ ରଦ୍ଦ କରିବା ଉପରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ। ୨୦୧୯ ଅଗଷ୍ଟ ୫ରେ ସଂସଦ ନେଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ସମର୍ଥନ ମିଳିଛି। ଏହା ଜମ୍ମୁ, କାଶ୍ମୀର ଓ ଲଦାଖରେ ଥିବା ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା। କୋର୍ଟ ଏହି ମହତ୍ୱପୂର୍ଣ୍ଣ ରାୟ ଦେଇ ଭାରତର ଏକତାକୁ ମଜବୁତ କରାଇଛନ୍ତି। ଆଜିର ନିଷ୍ପତ୍ତି କେବଳ ଆଇନଗତ ନୁହେଁ; ଏହା ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା ଓ ମଜବୁତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଜମ୍ମୁ କଶ୍ମୀର ଓ ଲଦାଖ ବାସୀଙ୍କୁ କହିବାକୁ ଚାହୁଁଛି ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପ୍ରତିବଦ୍ଧତା ନିରନ୍ତର ରହିବ। ପ୍ରଗତିର ସୁଫଳ କେବଳ ଆପଣଙ୍କ ପାଖରେ ପହଞ୍ଚିବ ନାହିଁ ବରଂ ଯେଉଁମାନେ ଧାରା ୩୭୦ କାରଣରୁ ପ୍ରଭାବିତ ହେଉଥିଲେ ସେମାନଙ୍କ ନିକଟରେ ପହଞ୍ଚିବ। ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।